ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଖର୍ଚ୍ଚ ହେବ। ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳିବ। ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପରେ ୨ଟି ବ୍ୟାରେଜ୍ ନିର୍ମାଣ କରାଯିବ। ଏଥିପାଇଁ ୫୭୭ କୋଟି ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୪୦ଟି ଗାଁର ୨୦ ହଜାର ଏକର ଚାଷଜମିକୁ ପାଣି ମିଳିବ। ସବୁ ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରାଯାଇ ଭୂତଳ ପାଇପ ଲାଇନ୍ ମାଧ୍ୟମରେ ଜଳସେଚନ କରାଯିବ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ଆମ ଅର୍ଥନୀତି, ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ। ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ପାଇଁ ଅନେକ ଯୋଜନା କରାଯାଇଛି। ନବରଙ୍ଗପୁର ଜିଲ୍ଲା ସବୁବେଳେ ମୋ ଫୋକସ୍ରେ ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ନବରଙ୍ଗପୁରର ଭିତ୍ତିଭୂମି କ୍ଷେତ୍ରରେ ବହୁତ ବଡ ରୂପାନ୍ତର ହେବ। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ଗାଁର ସବୁ ଲୋକଙ୍କୁ ସାମିଲ କରାଯିବ। ରାଜ୍ୟର ୯୦ ପ୍ରତିଶତ ଲୋକ ମାଗଣାରେ ଭଲ ଚିକିତ୍ସା ସୁବିଧା ପାଇବେ।ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ନବୀନ କାର୍ଡ ପଞ୍ଜିକରଣ ନେଇ ସୂଚନା ଦେଇଛନ୍ତି। ଜାନୁଆରୀ ୬ ରୁ ଏଥିପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.