Latest Odisha News

ଧରାପଡ଼ିଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଆଖି ପିଛୁଳାକେ ଖୋଳ କରୁଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ

ଭୁବନେଶ୍ଵର; କମିସନରେଟ୍ ପୁଲିସ ହାତରେ ରାଜ୍ୟ ବାହାରର ଗୋଟିଏ ବଡ଼ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମୋବାଇଲ୍ ଫୋନ୍ ଲୁଟି ଏଥିରୁ ସିମ୍ କାଢ଼ିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଥିଲେ। ଏହି ମାମଲାରେ ଝାଡ଼ଖଣ୍ଡ ସାହେବ ଗଞ୍ଜର ସେରଶାହା କୁମାର ମାହାତୋ(୧୯), ଭୁଲୁ କୁମାର ନୁନିଆ(୨୧), ରାହୁଲ ନୁନିଆ, ଛୋଟୁ ରାୟ, ଛୋଟେଲାଲ ମାହାତୋ(୧୯), ପଶ୍ଚିମବଙ୍ଗ ବର୍ଦ୍ଧମାନର ସୋନୁ ନୁନିଆ(୨୩), ସୁବାଷ ନୁନିଆ(୩୦), ସୋନୁ କୁମାର ନୁନିଆକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗରେ ଜଣେ ନାବାଳକ ମଧ୍ୟ ରହିଛି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା, ୨୨ଟି ମୋବାଇଲ୍ ଫୋନ୍, ୨୫ଟି ସିମ୍ କାର୍ଡ, ୨୦ଟି ମେମୋରି ଚିପ୍ ଜବତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଲା ଜାନୁଆରି ୨ ତାରିଖରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଚୋରି ହୋଇଥିବା ସଂକ୍ରାନ୍ତରେ କ୍ୟାପିଟାଲ୍ ଥାନାରେ ଏତଲା ହୋଇଥିଲା। ମୋବାଇଲ୍ ଲୁଟ୍ ହେବା ପରେ ଏହି ଲୁଟେରା ଦଳ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୧୪ ଲକ୍ଷ ଟଙ୍କା ଲୁଟିନେଇଥିଲେ। କ୍ୟାପିଟାଲ୍ ଥାନା ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ପୁଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଏହି ଗ୍ୟାଙ୍ଗ୍ ଆସାମ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଏକ ନିର୍ଦ୍ଦିଷ୍ଟ ଲୁଟେରା ଗୋଷ୍ଠୀ ସଂଘବଦ୍ଧ ହୋଇ ଓଡ଼ିଶା ଆସୁଛନ୍ତି। ଏମାନେ ପାର୍ବଣ କିମ୍ବା ଅଧିକ ସଂଖ୍ୟାରେ ଲୋକ ଏକାଠି ହେବାର ଥିଲେ ସେମାନେ ଉକ୍ତ ସହରକୁ ଯାଇଥାନ୍ତି। ଏକାଥରକେ ପାଖାପାଖି ୧୪ ଜଣ ଯାଉଛନ୍ତି। ସାଙ୍ଗରେ ରୋଷେୟା ନେଇ ଯାଉଛନ୍ତି। ରୋଷେୟା ସେମାନଙ୍କ ପାଇଁ ରୋଷେଇ କରୁଛି। ଅନ୍ୟ ସଦସ୍ୟ ବୁଲିବୁଲି ଲୁଟୁଛନ୍ତି। ଏମାନେ ଛୋଟ ଛୋଟ ଗୋଷ୍ଠୀରେ ଭୁବନେଶ୍ବର, ପୁରୀ ଓ କଟକ ଇତ୍ୟାଦି ଜିଲ୍ଲାରେ ବାଣ୍ଟି ହୋଇଯାଉଛନ୍ତି। ସେମାନେ ଯାତ୍ରୀବାହୀ ବସ୍, ଭିଡ଼ ମାର୍କେଟ୍, ମନ୍ଦିର, ବସ ଷ୍ଟାଣ୍ଡ, ଡାକ୍ତରଖାନା ଇତ୍ୟାଦି ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି। ସେହି ଅଞ୍ଚଳରେ ଏହି ଗୋଷ୍ଠୀ କୃତ୍ରିମ ଭିଡ଼ ସୃଷ୍ଟି କରି ଠେଲା ପେଲା କରୁଛନ୍ତି। ଏହି ସମୟରେ ଟାର୍ଗେଟ୍ କରିଥିବା ବ୍ୟକ୍ତିଙ୍କ ମୋବାଇଲକୁ ଝାମ୍ପି ନେଉଛନ୍ତି।

 

ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ମୋବାଇଲ ଲୁଟ ନୁହେଁ। ମୋବାଇଲ ଲୁଟିବା ପରେ ଏଥିରେ ଥିବା ସିମ୍ କାଢ଼ି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇକୁ ଖୋଲୁଥିଲେ। ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଲୁଟିନେଉଥିଲେ। ଏମାନେ ଅଲଗା ଅଲଗା ହୋଇ ରହୁଥିଲେ। ଯାହା ଫଳରେ ଜଣେ ଧରାପଡ଼ିଲେ ଅନ୍ୟ ସଦସ୍ୟଙ୍କ ପ୍ରତି ବିପଦ ନଥାଏ। ଏହି ଗ୍ୟାଙ୍ଗରେ ୮ ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ ଆହୁରି ସଦସ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ କ୍ୟାପିଟାଲ୍ ଥାନାରେ ୮ଟି ମାମଲା ଓ ସାଇବର ଥାନାରେ ଗୋଟିଏ ରହିଛି। ରାଜ୍ୟ ଭିତରେ ଓ ବାହାରେ ଆହୁରି ଏକାଧିକ ସଂଗୀନ ମାମଲା ରହିଥିବା ନେଇ ତଦନ୍ତରୁ ଜଣାପଡ଼ିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Comments are closed.