Latest Odisha News

ହୃଦଘାତରେ ଭେଟେରାନ ଗାୟିକା ପ୍ରଭା ଅତ୍ରେଙ୍କର ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରଭା ଅତ୍ରେଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁଁ ପୁଣେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇରେ ପ୍ରଭାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ମାତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ତାଙ୍କର ପରଲୋକ ହୋଇଛି ।

ଭୋର ସମୟରେ ହାର୍ଟ ଆଟାକ ଆସିବା ପରେ ତାଙ୍କୁ ତୁରନ୍ତ ଦିନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭାଙ୍କର ସମସ୍ତ ସମ୍ପର୍କୀୟ ଆମେରିକାରେ ରହୁଥିବା ବେଳେ ସେମାନଙ୍କ ଭାରତ ଆଗମନ ପରେ ହିଁ ଶେଷକୃତ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହି ଭେଟେରାନ୍ ଗାୟିକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ସହ ଜଡିତ ଥିଲେ। ପ୍ରଭା ଅତ୍ରେଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।ଭାରତ ସରକାରଙ୍କ ପକ୍ଷରୁ ୧୯୯୦ ମସିହାରେ ପଦ୍ମଶ୍ରୀ, ୨୦୦୨ ମସିହାରେ ପଦ୍ମ ଭୂଷଣ ଏବଂ ୨୦୨୨ ମସିହାରେ ପଦ୍ମ ବିଭୂଷଣ ପୁରସ୍କାର ସହିତ ଆହୁରି ଅନେକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ମରାଠି ଭାଷାରେ ମଧ୍ୟ ଅନେକ ସଙ୍ଗୀତ ଗାଇଛନ୍ତି ।

୧୯୩୨ ମସିହା ସେପ୍ଟେମ୍ବର ୧୩ତାରିଖରେ ପ୍ରଭା ଅତ୍ରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତକାର ସୁରେଶବାବୁ ମାନେ ଓ ହୀରାବାଇ ବଡୋଦକରଙ୍କ ଠାରୁ କ୍ଲାସିକାଲ ମ୍ୟୁଜିକ ଶିଖିଥିଲେ। ସେ ଜଣେ ଶାସ୍ତ୍ରୀୟ ଗାୟିକା ହେବା ସହ ଜଣେ ଭଲ ଲେଖିକା ମଧ୍ୟ ଥିଲେ। ବିଜ୍ଞାନରେ ସ୍ନାତ୍ତକ କରିଥିବା ଶାସ୍ତ୍ରୀୟ ଗାୟିକା ପ୍ରଭା ଅତ୍ରେ ସଙ୍ଗୀତରେ ଡକ୍ଟରେଟ୍‌ ଉପାଧି ମଧ୍ୟ ହାସଲ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।

Comments are closed.