Latest Odisha News

ଇରାନର ଏୟାରଷ୍ଟ୍ରାଇକକୁ କଡ଼ା ଜବାବ ଦେଲା ପାକିସ୍ତାନ, ଆତଙ୍କବାଦୀ ଲିଙ୍କକୁ ଉଭୟଙ୍କ ଖଣ୍ଡନ

ଇସଲାମାବାଦ: ପାକିସ୍ତାନ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରି କଡା ଜବାବ ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ପାକିସ୍ତାନ ଆକାଶମାର୍ଗ ଦେଇ ଇରାନରେ ପ୍ରବେଶ କରି ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏବଂ ବେଲୁଚିସ୍ତାନ ଲିବରେସନ ଫୋର୍ସ (ବିଏଲ୍ଏଫ)ର ଅନେକ ଟାର୍ଗେଟ ଉପରେ ପାକିସ୍ତାନ ସେନା ଆକ୍ରମଣ କରିଛି।

ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ଅନେକ ଆଶ୍ରୟସ୍ଥଳୀ ଧ୍ୱଂସ ହୋଇଯାଇଥିବା ପାକିସ୍ତାନ ଗଣମାଧ୍ୟମ ରିପୋର୍ଟର ଦାବି ହୋଇଛି। ଯାହା ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର କରିଛି। ତେବେ ଏହି ଆକ୍ରମଣ କେଉଁଠି, କେତେ ଓ କେଉଁ ସ୍ଥାନରେ ହୋଇଛି ତାହା ପାକିସ୍ତାନ ଏପର୍ଯ୍ୟନ୍ତ କହିନାହିଁ।

ଏହା ପୂର୍ବରୁ ଇରାନ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ସେବେଠାରୁ ପାକିସ୍ତାନ ରାଗି ଯାଇଥିଲା। ପାକିସ୍ତାନର ନେତା ଓ ସାଧାରଣ ଜନତା ସୋସିଆଲ ମିଡିଆରେ ଏହାକୁ ଲଗାତାର ବିରୋଧ କରୁଛନ୍ତି। ଏବେ ପାକିସ୍ତାନରୁ ଇରାନରେ ଏୟାର ଷ୍ଟ୍ରାଇକର ଖବର ସାମ୍ନାକୁ ଆସିଛି।

ଇରାନରେ ବିଏଲଏ ଆତଙ୍କବାଦୀଙ୍କ ଅନେକ ଠିକଣାକୁ ଟାର୍ଗେଟ୍ କରାଯାଉଛି ବୋଲି ପାକିସ୍ତାନରୁ ଏହିପରି ଏକ ଖବର ଆସୁଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଇରାନରେ ପ୍ରବେଶ କରି ପାକିସ୍ତାନୀ ବାୟୁସେନା ବେଲୁଚିସ୍ତାନ ଲିବରେସନ ଆର୍ମି ଏବଂ ବେଲୁଚିସ୍ତାନ ଲିବରେସନ ଫୋର୍ସ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନର ଅନେକ ଟାର୍ଗେଟକୁ ଉଡାଇ ଦେଇଛି। ଏହି ଆକ୍ରମଣରେ ଆତଙ୍କବାଦୀମାନଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣକୁ ନେଇ ପାକିସ୍ତାନ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ। ଏହା ପୂର୍ବରୁ ପାକିସ୍ତାନ ଅଭିଯୋଗ କରିଥିଲା ଯେ ଇରାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇ ଦେଉଛି। ଇରାନ ମଧ୍ୟ ପାକିସ୍ତାନ ବିରୋଧରେ ସମାନ ଅଭିଯୋଗ ଆଣିଛି। ତେବେ ଆତଙ୍କବାଦୀଙ୍କ ସହ କୌଣସି ସମ୍ପର୍କ କୁ ଉଭୟ ଦେଶ ଖଣ୍ଡନ କରୁଛନ୍ତି।

Comments are closed.