Latest Odisha News

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଖଣ୍ଡନ କଲା ଓସେପା

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବହୁ ସଂଖ୍ୟକ ପରୀକ୍ଷାର୍ଥୀ ଗୁରୁବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତେବେ ଅନିୟମିତତା ଅଭିଯୋଗକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଖଣ୍ଡନ କରିଛି। ଗୁରୁବାର ଏକ ସ୍ପଷ୍ଟୀକରଣରେ ଓସେପା କହିଛି ଯେ ସରକାରୀ ବିଜ୍ଞପ୍ତି ଆଧାରରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ କନିଷ୍ଠ ଶିକ୍ଷକ (ସ୍କିମେଟିକ୍) ନିଯୁକ୍ତି କରାଯାଇଛି। ଅଯୋଗ୍ୟ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିବା ନେଇ ଆଶାୟୀଙ୍କ ଅଭିଯୋଗ ଉପରେ ଓସେପା କହିଛି, ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ।

ଫଟୋ ଯାଞ୍ଚ ଓ ବାୟୋମେଟ୍ରିକ୍ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେଣୁ ପ୍ରଦାନ କରାଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରମାଣିତ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ପ୍ରକୃତରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଛି ଓସେପା।

ବିଭିନ୍ନ ବର୍ଗରେ ୨୦ ହଜାର ପଦବି ପାଇଁ ବିଜ୍ଞାପନ ଦିଆଯାଇଥିବା ବେଳେ ତାଲିକାରେ ୧୮ ହଜାର ୭୮୮ ଜଣଙ୍କ ନାମ ରହିଥିବା ପରୀକ୍ଷାର୍ଥୀମାନେ ମେରିଟ୍ ଲିଷ୍ଟରେ ତ୍ରୁଟି ଦର୍ଶାଇଛନ୍ତି। ବିଭିନ୍ନ ବର୍ଗରେ ପ୍ରାର୍ଥୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି ବୋଲି ଓସେପା କହିଛି।

ଏହାବ୍ୟତୀତ ଡ୍ରାଫ୍ଟ ମେରିଟ୍ ଲିଷ୍ଟରେ ଥିବା ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବା ସହ ସମସ୍ତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ବାଦ୍ ଦିଆଯିବ।

ଓସେପା ଆହୁରି ମଧ୍ୟ କହିଛି, ଆବେଦନ ସମୟରେ ପ୍ରାର୍ଥୀମାନେ ଚୟନ କରିଥିବା ପସନ୍ଦ ଏବଂ ମେରିଟ୍ ରାଙ୍କ ଆଧାରରେ ଜିଲ୍ଲା ଆବଣ୍ଟନ କରାଯାଇଛି। ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଅନଲାଇନ୍ ପ୍ରକ୍ରିୟା।

ଏହା ପୂର୍ବରୁ କନିଷ୍ଠ ଶିକ୍ଷକ ପଦବୀ ପାଇଁ ବହୁ ଆଶାୟୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଭୁବନେଶ୍ୱର ସ୍ଥିତ ଓପେସା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.