Latest Odisha News

ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ଘନରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରବିବାର ଓ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୨୦୦ ମିଟରରୁ କମ୍ ହେବା ସହ ସଡ଼କ ଓ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସର୍ବନିମ୍ନ (ରାତି) ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୧.୨ ଡିଗ୍ରି ରେକର୍ଡ କରାଯାଇଛି।

କୁହୁଡ଼ି ଅଞ୍ଚଳରେ ଯାତ୍ରା କରିବା ସମୟରେ ଜନସାଧାରଣଙ୍କୁ ପାଣିପାଗ ସମ୍ପର୍କରେ ଅବଗତ ରହିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Comments are closed.