Latest Odisha News

BREAKING NEWS

‘ମାଆ ସରସ୍ୱତୀ ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, ଶିକ୍ଷକଙ୍କ ସମସ୍ୟା ସମାଧାନ ହେଉ’

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ପହଞ୍ଚିଛି । ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମା’ ସରସ୍ଵତୀଙ୍କ ପୂଜା ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଛି । ହେଲେ ଆନ୍ଦୋଳନରେ ବସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ସ୍କୁଲ ଛାଡ଼ି ରାଜଧାନୀର ଗାନ୍ଧୀ ମାର୍ଗରେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ି ରହିଛନ୍ତି । ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀ  ଓ ଶିକ୍ଷାକର୍ମଚାରୀମାନେ ଗାନ୍ଧୀମାର୍ଗରେ ମା’ ସରସ୍ଵତୀଙ୍କୁ ପୂଜା କରିଛନ୍ତି । ସରକାରଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ଏବଂ ସେମାନଙ୍କର ସମସ୍ତ ଦାବିକୁ ସକରାତ୍ମକ ଭାବେ ସରକାର ବିଚାର କରି ସମାଧାନ କରନ୍ତୁ ବୋଲି ମା’ସ୍ୱରସ୍ୱତୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି,‘‘ ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି । ସରକାର ସମସ୍ତ ସମସ୍ୟାର ସମାଧାନ କରନ୍ତୁ ।’’

ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ରହିଛି,’’ ୨୫ ରୁ ୩୦ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କୁ ଅବସର ପରେ ପେନସନ୍  ପ୍ରଦାନ କରିବା । ଯେଉଁସବୁ ବିଦ୍ୟାଳୟକୁ ସପ୍ତମ ବେତନରୁ ବଞ୍ଚିତ କରି ରଖାଯାଇଛି ସେମାନଙ୍କ ପାଇଁ ଏହା ଯଥାଶୀଘ୍ର ଲାଗୁ କରିବା । ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା। ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା ।  ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି । ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା । ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା । ’’

ଏହି ସମସ୍ତ ଦାବି ପୂରଣ ନିମନ୍ତେ ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପରି ନେଇ ପଦକ୍ଷେପ ନେବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସିଛନ୍ତି । ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ  ଶିକ୍ଷାନୀତି ଓ ଉଦାସୀନତା ଯୋଗୁଁ ଶିକ୍ଷକ କର୍ମଚାରୀମାନଙ୍କ ସମସ୍ୟା ସମାଧାନର ବାଟ ଫିଟୁ ନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ବାରମ୍ବାର ଶିକ୍ଷକମାନେ ରାଜରାସ୍ତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି ଗଣଧାରଣା ଏକ ସପ୍ତାହ ଅତିକ୍ରମ କରିସାରିଲାଣି । ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗକୁ ପରୀକ୍ଷା, ଏଥିପାଇଁ ଯାହା କ୍ଷତି ହେବ ସରକାର ଦାୟୀ ରହିବେ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ଵାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି ।

Comments are closed.