Latest Odisha News

ସୋମବାରଠୁଁ ପୋଷ୍ଟପେଡ୍ ଫୋନ ସୁବିଧା ପାଇପାରିବେ କାଶ୍ମୀରବାସୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଆସନ୍ତା ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ଉପଲବ୍ଧ ହେବ । ମୋବାଇଲରେ ଏହି ପୋଷ୍ଟପେଡ୍ ସୁବିଧା ପୁନର୍ବାର ଯୋଗାଇଦେବା ନେଇ ଜମ୍ମୁ ଓ କାଶ୍ମୀରର ପ୍ରମୁଖ ସଚିବ ରୋହିତ କଂଶଲ ଶନିବାର ଦିନ ଘୋଷଣା କରିଛନ୍ତି ।

ଏବେ କିନ୍ତୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ କଂଶଲ କହିଛନ୍ତି, ଯେଉଁ ରାଜନୈତିକ ନେତାମାନଙ୍କୁ ଅଟକ ରଖାଯାଇଥିଲା ସେମାନଙ୍କୁ ଧିରେ ଧିରେ ଛଡ଼ାଯିବ । “ବାହ୍ୟ ଆତଙ୍କବାଦକୁ ରୋକାଯାଇ ସାଧାରଣ ମୃତ୍ୟୁମୁଖରୁ ସାଧାରଣ ଜୀବନ ବଞ୍ଚାଇବା ଲକ୍ଷ୍ୟ ନେଇ ଏହି କଟକଣା ଜାରି ହୋଇଥିଲା । ଏହା କାର୍ଯ୍ୟକାରୀ କରିବା ଦ୍ୱାରା ଅଯଥା ଯେଉଁ ଜୀବନ କ୍ଷତି ହୋଇଥାଆନ୍ତା ତାହାକୁ ରୋକା ଯାଇପାରିଛି । ଏବେ ଏହାକୁ ନେଇ ୨୦୦୮, ୨୦୧୦ ଏବଂ ୨୦୧୬ କଥା ସ୍ମୃତିଚାରଣ କରାଯାଇପାରେ,” ବୋଲି କହିଛନ୍ତି ଶ୍ରୀ କଂଶଲ୍ ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ଚଳାଚଳ ଉପରେ ଯେଉଁ କଟକଣା ରହିଥିଲା ପ୍ରାୟ ୯୯ ପ୍ରତିଶତ ବିଭିନ୍ନ ଅଞ୍ଚଳରେ ଉଠିସାରିଛି । ଏବେ ବାହାର ପର୍ଯ୍ୟଟକମାନେ ସ୍ୱଚ୍ଛନ୍ଦରେ କାଶ୍ମୀର ଭ୍ରମଣ କରିପାରିବେ ।

କାଶ୍ମୀରରେ ଗତ ଅଗଷ୍ଟମାସଠାରୁ ଇଣ୍ଟରନେଟ ସେବା, ଲ୍ୟାଣ୍ଡ ଲାଇନ ଫୋନ, ମୋବାଇଲ୍ ସେବା ତଥା ସର୍ବସାଧାରଣରେ ବୁଲାବୁଲି କରିବା ଉପରେ କଟକଣା ଜାରି କରାଯାଇଥିଲା । ଏହା ଅନ୍ତର୍ଜାତୀୟସ୍ତରରେ ଭୃକୁଞ୍ଚନ ସୃଷ୍ଟି କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଏହି କଟକଣାକୁ ସମାଲୋଚନା କରାଯାଉଥିଲା । ମାତ୍ର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ଲାଗି ଇଣ୍ଟରନେଟ ସେବା ତଥା ବିଭିନ୍ନ ସେବା ଉପରେ କିଛିଦିନ ଲାଗି କଟକଣା ଜାରି କରାଯାଇଥିଲା ।

Comments are closed.