ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଜିନାତମାମ ଦର୍ଜୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଜିନାତମାମ ଦର୍ଜୀଙ୍କ ସହ ‘ସ୍ଵଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ମୁଁ କିଛି କହିବାକୁ ଚାହେଁ,ହେଲେ ମୋ ପାଖରେ ଶୁଣିବାକୁ ଲୋକ ନଥାନ୍ତି l ତାହାରେ ମୁଁ କହିବାକୁ ଚାହୁଁଥିବା କଥାକୁ କଳାତ୍ମକ ଢଙ୍ଗରେ ଲେଖିନିଏ ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
କାହିଁକିର ଠିକ୍ ଉତ୍ତର ହୁଏତ ମୋ ପାଖରେ କିଛି ନାହିଁ । ତେବେ ଭଲ ପାଠକଟିଏ ଥିଲି । ପଢି ପଢି ମତେ ଲାଗିଲା ମୁଁ ବି କିଛି ଲେଖି ପାରିବି, ଲେଖିଲି ।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମ ଲେଖା ପ୍ରକାଶ ପାଇଥିଲା ବରପାଲି ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ବାସନ୍ତୀ’ ରେ ଲ ତା’ପରେ ଅନେକ ବର୍ଷ ପରେ ୨୦୧୧ରେ ଗପ ‘ରୂପାନ୍ତରିକରଣ’ ପ୍ରକାଶ ପାଇଲା ‘ସମ୍ବାଦ କଳିକା’ରେ । ସେ ଲେଖାଟି ମୁଁ ଡରି ଡରି ପଠେଇଥିଲି ପ୍ରକାଶ ପାଇବ ନା ନାହିଁ ବୋଲି । ସମ୍ପାଦିକା ଲଷ୍ମୀ ଚାନ୍ଦ ସେ ଲେଖାଟିକୁ ପ୍ରକାଶକରି ମୋ ମନରେ ଏକ ବିଶ୍ୱାସ ଜାଗ୍ରତ କଲେ । ଆଉ ସେଇ ଦିନଠୁଁ ମୁଁ ନିରନ୍ତର ଲେଖିବା ଜାରି ରଖିଲି ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମୁଁ ଲେଖେନି । ବାର୍ତ୍ତା ଦେବାକୁ ଆମେ ବା କିଏ ? ଜଣେ ଲେଖକର କାମ କେବେ ବି ବାର୍ତ୍ତା ଦେବା ନୁହେଁ । ଲେଖକ ସମାଜକୁ ଯେମିତି ଦେଖେ କେବଳ ସେମିତି ହିଁ ଉପସ୍ଥାପନ କରେ l ଲେଖକ ବାର୍ତ୍ତା ନ ଦେଉ,କେବଳ ବିସଙ୍ଗତିକୁ ରେଖାଙ୍କିତ କରୁ ।
ତାଙ୍କ ରଚନାରୁ କବିତା : ପଥରର ରକ୍ତ
ଧୁକ୍ ଧୁକ୍ ଗୀତ ଗାଉଥିବା ହୃଦପିଣ୍ଡଟା
କେତେଦିନ ଆଉ
ବନ୍ଧକ ପଡିବ ମହାଜନର କାଠ ବକ୍ସ ରେ?
ଏବେ ତାକୁ ଫେରାଇ ଆଣ ଉଷ୍ମ ରକ୍ତର ପ୍ରତିବଦଳେ ।
ଛାତି ତଳେ ଜଳୁ ଏକ ମହାଶିଖା
ଯାହାର ଲୟ ପ୍ରତିବିମ୍ବିତ ହେଉ
ଯୁଗଳ ଚକ୍ଷୁରେ l
ପରିବ୍ୟାପ୍ତ ତମ-ଅରଣ୍ୟରୁ ଆବିଷ୍କାର କର
ଏକ ବତିଖୁଣ୍ଟର ମସିହା
ବଜ୍ର ପ୍ରହାରେ ଭାଙ୍ଗିଯାଉ
ରୁଦ୍ଧ ଗବାକ୍ଷର ମାଢି ଦାନ୍ତ
ଶୈଳର ଛାତି ଫାଡ଼ି
ଫିଟିଯାଉ ଏକ ନବୀନ ଦିଗନ୍ତ…..
ମଳୟକୁ ଶୋଷି ନେଇ ଉଠୁ ଚକ୍ରବାତ
ଚିତା ଭସ୍ମ ହେଉ ଆଜିଠୁ ବିଭୂତି ନାମିତ
ଜୀବନର ପ୍ରତ୍ୟକ କମା
ଗୋଟିଏ ଗୋଟିଏ ବିରାମ
ହାର ଭାବି ହାରି ଯିବା ମତିଭ୍ରମ
ତୁମେ ସଂଗ୍ରାମୀ,
ଆଉ ଜୀବନ ଏକ ନିରନ୍ତର ସଂଗ୍ରାମ
ଶୁଭିଲାଣି ପ୍ରଳୟର ପଦଧ୍ୱନି
ଓଁ ରେ ଅହରହ ପୃଥିବୀ ନିନାଦିତ..
ଆଦିମ ଶୋଷର ତୃପ୍ତି ପାଇଁ
ଯଥେଷ୍ଟ ନୁହେଁ ଗୋଟେ ସମୁଦ୍ର
ପଥରକୁ ଚିପୁଡ଼ି ପିଇବାକୁ ପଡିବ ତାର ସତେଜ ରକ୍ତ
Comments are closed.