ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ତାଙ୍କ ନାଁ କୈଳାସ ନାଗ । ସେ ଜିଲ୍ଲାର ବିଜେପି ‘ବିଜନେସ୍ ସେଲ’ ଅଧିକାରୀ ଥିଲେ। ଏଥିସହ ସେ ଠିକାଦର କାମ ମଧ୍ୟ କରୁଥିଲେ ।
ପୁଲିସର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ଜଙ୍ଗଲା ପୁଲିସ ଥାନା ଅନ୍ତର୍ଗତ ଭୁରିପାଣି ଗାଁରେ ଏହି ଘଟଣା ଘଟିଛି । ରାଜ୍ୟରେ ଜଙ୍ଗଲ ବିଭାଗ ଦ୍ୱାରା ଗାଁରେ ପୋଖରୀ ଖୋଳା କାମ ଚାଲିଛି । ଏହି କାମରେ କୈଳାସଙ୍କ ଜେସିବି ମେସିନ ନିୟାଜିତ ଥିଲା । ହେଲେ ଏହି ସମୟରେ ମାଓବାଦୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କୈଳାସଙ୍କ ଜେସିବି ମେସିନରେ ନିଆଁ ଲାଗାଇ ଦେଇଥିଲେ । ଏହାପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ଗତ ଏକ ବର୍ଷ ମଧ୍ୟରେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ୮ ଜଣ ବିଜେପି ନେତା ଓ ସଦସ୍ୟଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଗତ ସପ୍ତାହରେ ବିଜାପୁର ଜିଲ୍ଲାର ବିଜେପି ନେତା ତିରୁପତି କାଟଲାଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସେହିପରି ୨୦୨୩ ନଭେମ୍ୱରରେ ନାରାୟଣପୁର ଜିଲ୍ଲାର ବିଜେପି ନେତା ରତନ ଦୁବେଙ୍କୁ ମାଓବାଦୀମାନେ ହତ୍ୟା କରାଯାଇଥିଲା ।
Comments are closed.