ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ପ୍ରଶାନ୍ତ ପ୍ରଧାନ । ଘଟଣାରେ ପୋଲିସ ହତ୍ୟାକାରୀ ଶ୍ରୀହରି ପ୍ରଧାନକୁ ଗିରଫ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ବିବାହ ଥିଲା। ପ୍ରଶାନ୍ତ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଉକ୍ତ ଗାଁର ଶ୍ରୀହରି ହଠାତ୍ ଆସି ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଶ୍ରୀହରି ।
ପରିବାର ଲୋକେ ପ୍ରଶାନ୍ତଙ୍କୁ ରକ୍ତଯୁଡୁବୁଡୁ ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଜାଳି ଦେଇଥିଲେ ।
ଅନ୍ୟପକ୍ଷେ ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ଆଜି ସକାଳୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ମୋହନା, ଆର୍.ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଘଟଣାସ୍ଥଳରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
Comments are closed.