Latest Odisha News

BREAKING NEWS

ଆଇପିଏଲରେ ଲଜ୍ଜ୍ୱାଜନକ ରେକର୍ଡ

ମୁମ୍ବାଇ: ଆଇପିଏଲର ଆଗାମୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏଥର ୧୦ଟି ଟିମ ପୂନର୍ବାର ଟ୍ରଫି ପାଇଁ ସଂଘର୍ଷ କରିବେ । ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଆଇପିଏଲରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ତେବେ ଏ ଭଳି କେତେକ ରେକର୍ଡ ରହିଛି ଯାହାକୁ ମନେ ରଖିବା ପାଇଁ ପ୍ରାୟତଃ କେହି ଚାହିଁବେ ନାହିଁ ।

ଆଇପିଏଲରେ ସର୍ବାଧିକ ଥର ଶୂନରେ ଆଉଟ ହେବା ରେକର୍ଡ ଦୀନେଶ କାର୍ତିକଙ୍କ ନାମରେ ରହିଛି । ସେ ୧୭ଥର ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ତାଙ୍କ ପଛକୁ ରୋହିତ ଶର୍ମା( ୧୬) ରହିଛନ୍ତି । ସେହିପରି ଆଇପିଏଲରେ ସବୁଠାରୁ ମହଙ୍ଗା ଓଭର ପ୍ରଶାନ୍ତ ପରମେଶ୍ୱରନ ପକାଇଛନ୍ତି । କୋଚି ଟସ୍କର୍ସ କେରଳ ପକ୍ଷରୁ ଖେଳୁଥିବା ବେଳେ ତାଙ୍କ ଓଭରରେ କ୍ରିସ ଗେଲ ୩୭ ରନ ସଂଗ୍ରହ କରିଥିଲେ । ଗୋଟିଏ ବଲ ନୋ ଥିଲା ।

ଆଇପିଏଲରେ ଗୋଟିଏ ସ୍ପେଲରେ ସର୍ବାଧିକ ରନ ଦେବାର ଅଲୋଡା ରେକର୍ଡ ୱାସିଲ ଥାମ୍ପିଙ୍କ ନାମରେ ରହିଛି । ୨୦୧୮ରେ ସେ ୪ ଓଭରରେ ୭୦ ରନ ଦେଇଥିଲେ । ଗତ ସଂସ୍କରଣରେ ଗୁଜରାଟ ଟାଇଟନ୍ସର ୟଶ ଦୟାଲ ୬୯ ରନ ଦେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗୋଟିଏ ଇନିଂସରେ ସର୍ବାଧିକ ଅତିରିକ୍ତ ରନ ଦେବାର ରେକର୍ଡ ଡେକାନ ଚାର୍ଜର୍ସ ନାମରେ ରହିଛି । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଡେକାନ ବୋଲର ୨୮ ଅତିରିକ୍ତ ରନ ଦେଇଥିଲେ ।

ଆଇପିଏଲରେ ଗୋଟିଏ ଇନିଂସରେ ସର୍ବନିମ୍ନ ସ୍କୋର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାମରେ ରହିଛି । ୨୦୧୭ରେ କୋଲକାତା ବିପକ୍ଷରେ ଦଳ ୯.୪ ଓଭରରେ ୪୯ ରନରେ ଅଲଆଉଟ ହୋଇ ଯାଇଥିଲା । ରାଜସ୍ଥାନ ରୟାଲ୍ସ ୫୮ ରନରେ ବାଙ୍ଗାଲୋର ବିପକ୍ଷରେ ଅଲଆଉଟ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.