ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ ‘ୱାକାଥନ୍’ ମାର୍ଚ୍ଚ ୧୭, ୨୦୨୪ରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ତରଫରୁ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାରେ ଡିସେମ୍ବର ୨୦୨୩ ଠାରୁ ଆରମ୍ଭ କରାଯାଇଥିବା ୱାକାଥନ ଶୃଙ୍ଖଳାର ଏହା ଶେଷ ୱାକାଥନ୍ ଥିଲା ।
ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ‘ୱାକାଥନ୍’କୁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ (ଓଡ଼ିଶା) ଡ. ସାରଦା ପ୍ରସନ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଏବଂ ସମସ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ଟାର୍ଗେଟ ଗୃପ ଯଥା ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦିରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣ କରିଥିଲେ। ୱାକାଥନ୍ ପରେ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ।
ଏହାପରେ କ୍ଷେତ୍ରୀୟ ନିର୍ଦ୍ଦେଶକ ତାଙ୍କର ମୁଖ୍ୟ ବକ୍ତବ୍ୟ ରେ ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗର ଅଧିକାରୀମାନେ ଆର୍ଥିକ ସାକ୍ଷରତା, ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ, ସାଇବର ସିକ୍ୟୁରିଟି, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ବିଭିନ୍ନ ଅଧିବେଶନ ନେଇଥିଲେ । ଏହି କାର୍ଯକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଦୀନେଶ ପୃଥୀ; ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ.ସୁଧାଂଶୁ କେ କେ ମିଶ୍ର ଏବଂ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସଏଲବିସି ଓଡ଼ିଶାର କନଭେନର ଗୌତମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.