Latest Odisha News

BREAKING NEWS

ରାଉରକେଲାରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ TPWODLର ୨.୧୧କୋଟି ନିବେଶ

୯ଟି ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ

ରାଉରକେଲା: ରାଉରକେଲା ସହର ଓ ଏହାର ଆଖପାଖ ଅଞ୍ଚଳରେ ଘରୋଇ ଉପଭୋକ୍ତା, ଶିଳ୍ପ ଓ ଖଣି କ୍ଷେତ୍ରକୁ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPWODL) ପକ୍ଷରୁ ପ୍ରାୟ ୨.୧୧ କୋଟି ଟଙ୍କା ବ୍ୟୟରେ ୯ଟି ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ କରାଯାଇଛି । ଏହି କାର୍ଯ୍ୟ ମାଧ୍ୟମରେ ପୁରୁଣା ବିଦ୍ୟୁତ୍ ଲାଇନ୍ର ଉନ୍ନତୀକରଣ, ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଏବଂ ଖୋଲା ତାର ବଦଳରେ ଅଧିକ ସୁରକ୍ଷିତ ଏବି କେବଲ୍ ବିଛାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ହଜାର ହଜାର ଉପଭୋକ୍ତା ଉପକୃତ ହେବା ସହ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସ୍ଥିରତା ଓ ଜନସୁରକ୍ଷାରେ ଉନ୍ନତି ଆସିବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ସର୍ବାଧିକ ୧.୪ କୋଟି ଟଙ୍କା ବ୍ୟୟରେ ଯୋଡ଼ା–ଟେନ୍ସା–ବରସୁଆଁ ଖଣି ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିକୁ ଆଧୁନିକୀକରଣ କରାଯାଇଛି । ପ୍ରାୟ ୬୦ ବର୍ଷ ପୁରୁଣା ଲାଇନ୍ର ଦୁର୍ବଳ ଅବସ୍ଥା ଏବଂ ଶିଳ୍ପ ଓ ଖଣି କ୍ଷେତ୍ରରେ ବଢ଼ୁଥିବା ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଏହି କାର୍ୟ୍ୟ କରାଯାଇଛି । ସେଲ୍ ମାଇନ୍ସ ଏବଂ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସମନ୍ୱୟରେ ଜଙ୍ଗଲ ଅନୁମତି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପ୍ରକଳ୍ପଟି ସମ୍ପନ୍ନ ହୋଇଛି । ଏହାଦ୍ୱାରା ଖଣି, ଶିଳ୍ପ, ଆବାସିକ କଲୋନୀ ଓ ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ଅଧିକ ନିର୍ଭରଯୋଗ୍ୟ ହେବ ।

ସେହିପରି ବାସନ୍ତୀ କଲୋନୀରେ ୩୧.୧ ଲକ୍ଷ ଟଙ୍କାର ବ୍ୟୟରେ ୬ଟି ପ୍ରକଳ୍ପ ଅଧୀନରେ ପ୍ରାୟ ୭.୫ ସର୍କିଟ୍ କିଲୋମିଟର ଖୋଲା ଲୋ-ଟେନ୍ସନ୍ ତାରକୁ ଇଈ କେବଲ୍ରେ ପରିବର୍ତ୍ତନ କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଦ୍ୱାରା ପ୍ରାୟ ୧,୪୩୦ ଜଣ ଉପଭୋକ୍ତା ଉପକୃତ ହେବେ । ପ୍ରାୟ ୨୫ ଲକ୍ଷ ବ୍ୟୟରେ ୧୧ କେ.ଭି. ଶକ୍ତିନଗର ଅଣ୍ଡରଗ୍ରାଉଣ୍ଡ ଫିଡର୍ ନିର୍ମାଣ ଏବଂ ଜାମସେରା ଓ ଝିରପାଣି ଫିଡର୍ ମଧ୍ୟରେ ବିକଳ୍ପ ସଂଯୋଗ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବିଦ୍ୟୁତ୍ ତ୍ରୁଟି କିମ୍ବା ରକ୍ଷଣାବେକ୍ଷଣ ସମୟରେ ବିକଳ୍ପ ମାର୍ଗରେ ଯୋଗାଣ ଜାରି ରଖିବା ସମ୍ଭବ ହେବ । ଶକ୍ତିନଗର, ଝିରପାଣି, ଜାମସେରା, ଜଗଦା ଓ ଆଖପାଖ ଅଞ୍ଚଳର ପ୍ରାୟ ୩,୦୦୦ ଉପଭୋକ୍ତା ଏହାଦ୍ୱାରା ଉପକୃତ ହେବେ। ଗ୍ରୀଷ୍ମ ଋତୁରେ ଆସିଥିବା କାଳବୈଶାଖୀ ଝଡ଼ ସମୟରେ ଏହି ଅଣ୍ଡରଗ୍ରାଉଣ୍ଡ ଫିଡର୍ କାର୍ଯ୍ୟକ୍ଷମ ରହିଥିଲା, ଯାହା ବିଦ୍ୟୁତ୍ ବାଧାକୁ ସୀମିତ ରଖିବା ଓ ଯୋଗାଣ ପୁନଃସ୍ଥାପନରେ ସହାୟତା କରିଥିଲା । କଳିଙ୍ଗ ବିହାରରେ ପ୍ରାୟ ୧୫ ଲକ୍ଷ ବ୍ୟୟରେ ୧.୭ କିଲୋମିଟର ଏବି କେବଲ୍ ସ୍ଥାପନ କରାଯାଇଛି । କୋ-ଅପରେଟିଭ୍ କଲୋନୀର ପ୍ରାୟ ୭୫୦ ଉପଭୋକ୍ତା ଏହାର ସୁଫଳ ପାଇବେ ।

ଏହି ବିକାଶ ସମ୍ପର୍କରେ ଟିପିଡବ୍ଲୁଓଡିଏଲର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ବୃଦ୍ଧି ଓ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ନେଟୱର୍କ ଆଧୁନିକୀକରଣ ପ୍ରୟାସର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ନିଜର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଆଧୁନିକ କରିବା, ସ୍ଥାନୀୟ ନେଟୱର୍କ ସମସ୍ୟାର ସମାଧାନ କରିବା ଓ ଅଞ୍ଚଳର ଉପଭୋକ୍ତା ଏବଂ ଶିଳ୍ପାନୁଷ୍ଠାନଙ୍କ ପରିବର୍ତ୍ତିତ ବିଦ୍ୟୁତ୍ ଆବଶ୍ୟକତା ପୂରଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।

ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି ।

Leave A Reply

Your email address will not be published.