ନୂଆଦିଲ୍ଲୀ: ଆମେରିକା ତଥା ବିଶ୍ଵର ଅନ୍ୟାନ୍ୟ ଦେଶରେ ନାଗରିକତା ସଂଶୋଧନ ଆଇନ (CAA) କୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଭିତରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କ ଏକ ବଡ ବୟାନ ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ । ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ଏପରି ଅନେକ ଦେଶ ଉଦାହରଣ ସାଜିଛି ।
ଗତ ଗୁରୁବାର ଦିନ ଆମେରିକା ଏନେଇ କହିଛି ଯେ, ସେ ଭାରତରେ ସିଏଏର ବିଜ୍ଞପ୍ତିକୁ ନେଇ ଚିନ୍ତିତ ଏବଂ ଏହାର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିଛି । ସେପଟେ ସିଏଏକୁ ନେଇ ଜୟଶଙ୍କର କହିଛନ୍ତି, ” ମୁଁ ସେମାନଙ୍କର ଗଣତନ୍ତ୍ରର ତ୍ରୁଟି କିମ୍ବା ଅନ୍ୟାନ୍ୟ ଜିନିଷ ତଥା ସେମାନଙ୍କର ସିଦ୍ଧାନ୍ତ ଉପରେ ପ୍ରଶ୍ନ କରୁନାହିଁ । ମୁଁ ଆମର ଇତିହାସକୁ ନେଇ ସେମାନଙ୍କ ମତ ଉପରେ ପ୍ରଶ୍ନ କରୁଛି । ଯେତେବେଳେ ଆପଣ ବିଶ୍ଵର ଅନେକ ଦେଶର ମନ୍ତବ୍ୟ ଶୁଣିବେ, ତେବେ ଏପରି ଲାଗିବ ଯେପରି ଭାରତର ବିଭାଜନ କେବେ ହୋଇ ନଥିଲା ଯାହା ଫଳରେ ସିଏଏ ସମାଧାନ କରିବା ପାଇଁ କୌଣସି ସମସ୍ୟା ନଥିଲା।
ଏହି ସମୟରେ ଏସ ଜୟଶଙ୍କର ଭାରତ ଏବଂ କାନାଡା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ନିଜର ମତ ରଖିଥିଲେ । କେବଳ ସେତିକି ନୁହେଁ ଆମେରିକାର ମାଟିରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ସେ ଜଣେ ଭାରତୀୟ ନାଗରିକଙ୍କ ଉପରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏସ ଜୟଶଙ୍କର କହିଛନ୍ତି, “ଆପଣ କ୍ରମାଗତ ଭାବରେ ଭାରତ ଏବଂ କାନାଡା ବିଷୟରେ ଉଲ୍ଲେଖ କରିଆସୁଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ଆମେରିକୀୟ ରାଜନୀତି ସେହି ପ୍ରକାର ହିଂସାବାଦୀ ଉଗ୍ରବାଦୀ ଚିନ୍ତାଧାରା ଏବଂ କାର୍ଯ୍ୟକଳାପକୁ ଅନୁମତି ଦେଇନାହିଁ ଯେପରି କାନାଡା ଦେଇଛି । ତେଣୁ ଆମେରିକା ସହିତ ସେମାନଙ୍କୁ ଏକାଠି ରଖିବା ଠିକ୍ ନୁହେଁ ବୋଲି ମୁଁ ଭାବୁଛି। ଗତ ବର୍ଷ କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିରଜା ହତ୍ୟା ମାମଲାରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଏହି ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।
Comments are closed.