Latest Odisha News

ଝାରପଡା ଗ୍ୟାଙ୍ଗୱାର ଘଟଣା: ୨ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର; ଝାରପଡା ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ଘଟଣା । ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଦୁଇ କର୍ମଚାରୀ ହେଉଛନ୍ତି ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ଓ ଚିଫ୍ ୱାର୍ଡର ମଙ୍ଗୁଳି ସେଠୀ ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୯ତାରିଖରେ ଝାରପଡା ଜେଲ୍ ଭିତରେ ଦୁଇ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୪ରୁ ଉର୍ଦ୍ଧ୍ବ କଏଦୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଣେ ବିଚାରାଧୀନ କଏଦୀଙ୍କ ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା । ତେବେ କଏଦୀଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷର ମାଷ୍ଟର ମାଇଣ୍ଡ ଚକରା ବୋଲି ଜଣାପଡିଥିଲା । ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜେଲ ବିଭାଗ।

ଏହାପରେ କମିଶନରେଟ ପୋଲିସ ଝାରପଡା ଜେଲରେ ଚଢ଼ାଉ କରି ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରିଥିଲା । ଏହା ପରେ ତଦନ୍ତ ଜୋରଦାର କରାଯାଇଥିଲା । ଏହି ଘଟଣାକୁ ନେଇ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ସସପେଣ୍ଡ ହୋଇଛନ୍ତି। ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି । ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ସେହିପରି ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । ସେହିପରି ନାଇଟ୍ ଡ୍ୟୁଟିରେ ଥିବା ବେଳେ କିପରି ନିଶାଦ୍ରବ୍ୟ ଜେଲ ଭିତରକୁ ଆସିଲା ସେନେଇ ସ୍ପଷ୍ଟିକରଣ ମାଗିଛି ବିଭାଗ ।

 

Comments are closed.