Latest Odisha News

BREAKING NEWS

୩ ସିଟ୍ ରେ କେଉଁଠି କେଁ?

ଭୁବନେଶ୍ବର: ଲୋକସଭା ଲଢେଇ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୧ ରୁ ୧୮ ସିଟ୍ ପାଇଁ ସିପାହୀ ପ୍ରସ୍ତୁତ । କିଛି ନୂଆ କିଛି ପୁରୁଣା ମୁହଁ ସହ ଚବିଶ ପାଇଁ ବିଜେପି କରିଛି ଚଉକଶ ପ୍ଲାନ୍ । ତେବେ ପ୍ରଶ୍ନ, ୩ ସିଟ୍ ରେ କେଉଁଠି ରହିଛି କନଫ୍ୟୁଜନ୍? ପ୍ରାର୍ଥୀ ନିଷ୍ପତ୍ତି ନେଇପାରୁନି କି ଦଳ? କେଉଁଠି ରହିଛି କେଁ? ରାଜ୍ୟର ୧୮ ସିଟରେ ପ୍ରାର୍ଥୀ ଫାଇନାଲ୍ ହେଲା, କଟକ, କନ୍ଧମାଳ, ଯାଜପୁର ପାଇଁ ଘୋଷଣା କେବେ?

କଟକରେ ଭର୍ତ୍ତୃହରି କନଫ୍ୟୁଜନ୍ !

କଟକ ଲୋକସଭାରୁ ଭେଟେରାନ୍ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିବ କି ବିଜେପି? ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ କଟକ ପ୍ରାର୍ଥୀ କରିବା ନେଇ କୁହାଯାଉଥିଲା । ମେଣ୍ଟ ସମ୍ଭାବନା ମଉଳିବା ପରେ ବିଜେଡି ଛାଡିଛନ୍ତି ଭର୍ତ୍ତୃହରି । ଦୀର୍ଘ ଦିନ ଧରି ବିଜେପି ସହ ସଂପର୍କରେ ଥିଲେ । ଧର୍ମେନ୍ଦ୍ରଙ୍କ ପ୍ରଶଂସା, ମୋଦି ଶାହାଙ୍କ ସହ ସାକ୍ଷାତକାର ବିଜେପି ସହ ତାଙ୍କ ମଧୁର ସଂପର୍କ ନେଇ ମୋହର ବି ମାରିଛି । କଟକ ଲୋକସଭାରୁ ମନମୋହନ ସାମଲଙ୍କ ଖାସ୍ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଛି । ତେବେ ୬ ଥରର ସାଂସଦ ଭର୍ତ୍ତୃହରିଙ୍କୁ ଭରସା କରିପାରେ ବିଜେପି । ଗ୍ରୀନ୍ ସିଗନାଲ ପାଇଲେ ପଦ୍ମ ଧରିପାରନ୍ତି ଭର୍ତ୍ତୃହରି । ମିଶନ୍ ୪ ଶୋ ପାରର ନାରା ଦେଉଥିବା ବିଜେପି ଭାବି ଚିନ୍ତି କଟକ ଅଙ୍କ କଷୁଛି । ଭର୍ତ୍ତୃହରି ମହତାବଙ୍କୁ ଭରସା କରିବ ନା ପୂର୍ଣ୍ଣଚନ୍ଦ୍ରଙ୍କୁ କରିବ ପ୍ରାର୍ଥୀ ତାକୁ ନେଇ ସସପେନ୍ସ ରହିଛି ।

କନ୍ଧମାଳ କୁରୁକ୍ଷେତ୍ରରେ ଯୋଦ୍ଧା କିଏ?

କଟକ ପରି କନ୍ଧମାଳକୁ ନେଇ ବି ରହିଛି ବିଜେପିର କନଫ୍ୟୁଜନ୍ । ଗତ ୩ଟି ନିର୍ବାଚନରେ ଭୋଟ୍ ପର୍ସେଣ୍ଟେଜ ବଢାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ଏଥର କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି । ଐର ଖାରବେଳ ସ୍ୱାଇଁ ବାଲେଶ୍ୱରରୁ ଲଢିବାକୁ ଖୋଲାଖୋଲି କହିବା ପରେ ବି ପ୍ରତାପ ଷଡଙ୍ଗୀଙ୍କୁ ରିପିଟ୍ କରିଛି ଦଳ । ବାଲେଶ୍ୱରରୁ ଖାରବେଳଙ୍କ ପତା କଟିବା ପରେ ସେ କନ୍ଧମାଳରୁ ଲଢିବେ ନା ନୂଆ ଚେହେରାଙ୍କୁ ସୁଯୋଗ ଦେବ ବିଜେପି, ତାହା ସ୍ପଷ୍ଟ ହୋଇନି । ଗତଥର ପ୍ରାୟ ଦେଢ ଲକ୍ଷ ଭୋଟ୍ ରେ ଐର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରିଥିଲେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ । ଏଥର ପୁଣି ଖାରବେଳଙ୍କୁ ମନାଇ ପ୍ରାର୍ଥୀ କରିବ କି ବିଜେପି? ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ବି ରେସ୍ ରେ ରହିଛି ।

ଯାଜପୁର ଯୋଦ୍ଧା କିଏ?

ବିଜେଡି ଗଡ ଯାଜପୁରରେ କାହାକୁ ଯୋଦ୍ଧା କରିବ ବିଜେପି? ଗତ ୫ଟି ନିର୍ବାଚନରେ ଚେହେରା ବଦଳିଛନ୍ତି ହେଲେ ଯାଜପୁରରେ ବିଜେଡିର ଚମକ କମିନି । ବିଜେଡିକୁ ଟକ୍କର ଦେବାକୁ କାହାକୁ ପ୍ରାର୍ଥୀ କରିବ ବିଜେପି? ଗତଥର ପ୍ରାର୍ଥୀ ହୋଇଥିବା ଅମୀୟ କାନ୍ତ ମଲ୍ଲିକ ଏଥର ଲୋକସଭା ଲଢିବାକୁ ଆଗ୍ରହୀ ନୁହେଁ । ସେ ବିଂଝାରପୁର ବିଧାନସଭା ଆସନ ପାଇଁ ଗୋଟି ଚଳାଉଛନ୍ତି । ୨୦୦୪ ଓ ୨୦୦୯ରେ ସେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୪ ଓ ୨୦୧୯ରେ ବିଜେପିରୁ ଲଢିଥିଲେ । ତେଣୁ ଅମୀୟ ମଲ୍ଲିକଙ୍କୁ ପୁଣି ବିଜେପି ରିପିଟ୍ କରିବ ନା ନୂଆଙ୍କୁ ଭରସା କରିବ ତାକୁ ନେଇ ସସପେନ୍ସ ରହିଛି । ସେହିପରି ପୂର୍ବତନ ପ୍ରଶାସକ ରବି ନାରାୟଣ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।

ବିଜେଡି ସହ ମେଣ୍ଟ ଆଲୋଚନା ଫେଲ୍ ମାରିବା ପରେ ରାଜ୍ୟରେ ଅଧିକରୁ ଅଧିକ ଲୋକସଭା ସିଟ୍ ନିଜ ଦମ୍ ରେ ଜିତିବାକୁ ଚାହୁଁଛି ବିଜେପି । ସେଥିପାଇଁ ପ୍ରାର୍ଥୀ ଦେବା ପୂର୍ବରୁ ବିଜୟ ସମ୍ଭାବନାକୁ ଭଲ କରି ପରଖୁଛି ଦଳ ।

Comments are closed.