Latest Odisha News

ଆରଏସଏସ-ବିଜେପି ମେଣ୍ଟ ଏକ ବିଷ, ଦେଶକୁ କରୁଛି ନଷ୍ଟ: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆରଏସଏସ-ବିଜେପି ମେଣ୍ଟକୁ କଡ଼ା ସମାଲୋଚନା କରି ଏହାକୁ ଏକ ବିଷ ବୋଲି ଆଖ୍ୟା ଦେଇଛନ୍ତି। ଯାହା ଦେଶକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି।

ରାମଲୀଲା ମୈଦାନରେ ଇଣ୍ଡିଆ ମେଂଟ ଦ୍ୱାରା ଆୟୋଜିତ ‘ଲୋକତନ୍ତ୍ର ବଞ୍ଚାଓ’ ରାଲିରେ ଖଡଗେ ଲୋକସଭା ନିର୍ବାଚନରେ ଶାସକ ଦଳ ବିରୋଧରେ ଏକଜୁଟ ହେବାକୁ ସମସ୍ତ ବିରୋଧୀ ଦଳକୁ ଆହ୍ୱାନ ଦେଇଛନ୍ତି। ଗଣତନ୍ତ୍ର, ରାଷ୍ଟ୍ର ଓ ସମ୍ବିଧାନର ସୁରକ୍ଷାରେ ଏହି ନିର୍ବାଚନର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଦର୍ଶାଇ ଖାଡଗେ ଗଣତନ୍ତ୍ର ପ୍ରତି ବିପଦ ଉପରେ ଆଲୋକପାତ କରିବା ସହ ବିରୋଧୀଙ୍କ ମଧ୍ୟରେ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମତଭେଦକୁ ଦୂରେଇ ରଖିବାକୁ ସେ ମେଣ୍ଟ ସହଯୋଗୀମାନଙ୍କୁ ଅନୁରୋଧ କରି କହିଛନ୍ତି, ଆମକୁ ଏକଜୁଟ ହେବାର ଆବଶ୍ୟକତା ରହିଛି। ତା’ହେଲେ ହିଁ ଆମେ ବିଜେପି ସହ ଲଢ଼ିପାରିବୁ।

୨୦୨୪ ସାଧାରଣ ନିର୍ବାଚନ ଗଣତନ୍ତ୍ରର ସୁରକ୍ଷା କିମ୍ବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ‘ଏକଛତ୍ରବାଦ’ର ଉତଥାନ ମଧ୍ୟରେ ଏକ ନିର୍ଣ୍ଣାୟକ କାରଣ ହେବ ବୋଲି ଖଡଗେ କହିଛନ୍ତି। ବିରୋଧୀ ଦଳମାନଙ୍କୁ ଉଚିତ ସୁଯୋଗ ଦେଇନଥିବାରୁ ସେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିରୋଧୀଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରୀୟ ଅନୁଷ୍ଠାନର ଅପବ୍ୟବହାର କରୁଛନ୍ତି ଏବଂ କଂଗ୍ରେସ ଉପରେ ଲଗାଯାଇଥିବା ନିର୍ଯାତନା ଏବଂ ଆର୍ଥିକ ଜରିମାନାର ଉଦାହରଣ ଦେଇ ସରକାର ବିରୋଧରେ ବର୍ଷିଛନ୍ତି।

ନିର୍ବାଚନୀ ସ୍ୱଚ୍ଛତା ନାଁରେ ରାଜନୈତିକ ଦଳମାନଙ୍କ ପ୍ରତି ହେଉଥିବା ବ୍ୟବହାରରେ ଅସଙ୍ଗତି ଥିବା ଦର୍ଶାଇ ଖଡଗେ ଇଲେକ୍ଟୋରାଲ ବଣ୍ଡ ଓ ପିଏମ କେୟାର୍ସ ଭଳି କାର୍ଯ୍ୟକ୍ରମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି।

ସେହିପରି ଖବର ସରବରାହ ସଂସ୍ଥା ପିଟିଆଇକୁ ଖଡଗେ କହିଛନ୍ତି, ଯଦି ଡକାୟତି ନୁହେଁ ତେବେ ଆମେ ଏହାକୁ କ’ଣ କହିପାରିବା? ସ୍ୱଚ୍ଛତା ନାଁରେ ବିଜେପି ଯେଉଁ ଯୋଜନା ଆଣିଛି ତାହା ଦୁର୍ନୀତି ସାବ୍ୟସ୍ତ ହୋଇଛି।

ଇଡି, ଆଇଟି ଏବଂ ସିବିଆଇ ଭଳି ଏଜେନ୍ସି ବର୍ଷ ବର୍ଷ ଧରି ନୀରବ ରହିଛନ୍ତି ଏବଂ ନିର୍ବାଚନରେ ଏନଡିଏର ସହଯୋଗୀ ହୋଇଛନ୍ତି। ସେ ଦାବି କରିଛନ୍ତି ଯେ ବିରୋଧୀ ସରକାର ଭାଙ୍ଗିବାରେ ଏହି ଏଜେନ୍ସିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ଶାସକ ଦଳର ଅପରାଧୀ ଏବଂ ଅନ୍ୟ ଦଳରୁ ବିଜେପିରେ ଯୋଗ ଦେଉଥିବା ଲୋକଙ୍କ ମାମଲା ବନ୍ଦ ହେଉଛି।

Comments are closed.