Latest Odisha News

BREAKING NEWS

ବଂଶବାଦ ରାଜନୀତି: କେଉଁ ଦଳ ଆଗୁଆ?

ଭୁବନେଶ୍ବର: ନାଁ ବଦଳିଲା, ଟିକେଟ୍ ଘରେ ରହିଲା । ବାପାଙ୍କ ପରେ ପୁଅ ଜଗିବେ ଗଡ ! ମଇଦାନକୁ ଓହ୍ଲାଇଲେ ପୁଅ, ଝିଅ । ପରଦା ପଛରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚଳାଇବେ ନେତା । ବିବାଦ ହେଉ କି ବୟସ ବାଧା, ନେତାଙ୍କ ଗଡ ଜଗିବେ ଉତ୍ତରାଧିକାରୀ ! ରାଜ୍ୟର ତିନି ପ୍ରମୁଖ ଦଳର ଟିକେଟ୍ ତାଲିକାରେ ରହିଛି ବଂଶବାଦର ବାସ୍ନା । ତେବେ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ବିଜେଡି ।

ବିବାଦରେ ବାପା ପୁଅ ହେଲେ ନେତା

ବିବାଦରେ ଛନ୍ଦି ହୋଇଥିବା ପ୍ରତାପ ଜେନାଙ୍କ ବଦଳରେ ମାହାଙ୍ଗାରୁ ପ୍ରାର୍ଥୀ ହୋଇଛନ୍ତି ପୁଅ ଅଙ୍କିତ ପ୍ରତାପ ଜେନା । ରାଜନୈତିକ ଅଭିଜ୍ଞତା ଓ ସାଂଗଠନିକ ଦକ୍ଷତା ନଥିବା ସତ୍ତ୍ୱେ ପ୍ରତାପଙ୍କ ଦୁର୍ଗ ରକ୍ଷା କରିବାକୁ ଅଙ୍କିତଙ୍କୁ ଟିକେଟ୍ ଦେଇଛି ବିଜେଡି । ପ୍ରତାପଙ୍କ ନାଁ ଯଦିଓ ତାଲିକାରୁ କଟିଛି, ପରିବାରକୁ ହିଁ ଟିକେଟ୍ ମିଳିଛି । ସେହିପରି ମଙ୍ଗଳା କିଶାନଙ୍କ ପୁଅ ଅନିଲ ବାରୱାଙ୍କୁ ରାଜଗାଙ୍ଗପୁର ଓ ହାଇଟେକ୍ ମାଲିକ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ପାରଳାଖେମୁଣ୍ଡି ଟିକେଟ୍ ଦେଇଛି ବିଜେଡି । ପୂର୍ବରୁ ସ୍ୱର୍ଗତଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି, ଉଷାଦେବୀଙ୍କ ପୁଅ ଶ୍ରୀରୂପ ଦେବ, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଥିଲା ବିଜେଡି ।

ବିଜେପିରେ ବି ବଂଶବାଦ

ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି । ବାପା ବିଷ୍ଣୁ ସେଠୀଙ୍କ ରାଜନୈତିକ ଲିଗାସିକୁ ଆଗକୁ ନେଉଛନ୍ତି ସୂର୍ଯ୍ୟବଂଶୀ । ୨୦୨୨ରେ ବିଷ୍ଣୁଙ୍କ ପରଲୋକ ପରେ ଉପନିର୍ବାଚନ ଜିତିଥିଲେ ସୂର୍ଯ୍ୟବଂଶୀ । ପୁଣି ଥରେ ତାଙ୍କୁ ଭରସା କରିଛି ଦଳ । ସେହିପରି ନୂଆପଡାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ କୁମାର ପଣ୍ଡା । ପ୍ରଥମ ଥର ଲାଗି ନିର୍ବାଚନ ଲଢିବେ ଅଭିନନ୍ଦନ । ବାପାଙ୍କ ସଂଗଠନକୁ ନେଇ ମଇଦାନକୁ ଓହ୍ଲାଇବେ । ସେହିପରି ବ୍ରହ୍ମଗିରିରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଗତଥର ତାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ବିଧାୟକ ଥିଲେ ।

ପୁଅ ଝିଅଙ୍କୁ କଂଗ୍ରେସ ଟିକେଟ୍

ନେତାଙ୍କ ପୁଅ ଝିଅଙ୍କୁ ଟିକେଟ ଦେଇ ଚବିଶ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଓ ଭକ୍ତଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ଗତଥର ସମରେନ୍ଦ୍ର ବଲାଙ୍ଗୀର ଲୋକସଭା ଲଢି ପରାସ୍ତ ହୋଇଥିଲେ । ଏଥର ବାପା ନରସିଂହଙ୍କ ସିଟ୍ ବଲାଙ୍ଗୀର ବିଧାନସଭାରେ ଭାଗ୍ୟ ପରୀକ୍ଷା କରିବେ । ସେହିପରି ସାଗରଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଛି କଂଗ୍ରେସ । ୨୦୧୯ରେ କଳାହାଣ୍ଡି ଲୋକସଭାରେ ଲଢି ହାରିଯାଇଥିଲେ ସାଗର । ଡାବୁଗାଁରେ କଂଗ୍ରେସ ଭେଟେରାନ୍ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀଙ୍କୁ ଟିକେଟ୍ ଦେଇଛି ଦଳ ।

କେବଳ ଚବିଶ ମଇଦାନ ନୁହେଁ ବାପାଙ୍କ ଗଡରେ ପୁଅ ଝିଅ ଉତ୍ତରାଧିକାରୀ ଟ୍ରେଣ୍ଡ ବହୁ ପୁରୁଣା । କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ ହୁଅନ୍ତୁ କି ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା କିମ୍ବା ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରୁଦ୍ର ମହାରଥୀ, ଆଗରୁ ବଢି ଚାଲିଛି ବଂଶବାଦର ଧାରା । ଝିଅ ବି ଏଥିରେ ପଛରେ ନାହାନ୍ତି । ପଦମପୁରରୁ ବର୍ଷା ସିଂ ବରିହା, ଝାରସୁଗୁଡାରୁ ଦୀପାଳି ଦାସ ପ୍ରମୁଖ ବାପାଙ୍କ ପରେ ଗଡ ସମ୍ଭାଳିଛନ୍ତି । ଦୀପାଳିଙ୍କୁ ତ ଏଥର ବି ପ୍ରାର୍ଥୀ କରିଛି ବିଜେଡି ।

Comments are closed.