Latest Odisha News

ଆଇଜିଆଇ ବିମାନବନ୍ଦରକୁ ପରମାଣୁ ବୋମା ଭୟ, ଧମକ ଦେଇ ଗିରଫ ହେଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)କୁ ପରମାଣୁ ବୋମାର ଭୟ । ବୋମା ପକାଇ ଆଇଜିଆଇ ବିମାନବନ୍ଦରକୁ ଉଡାଇଦେବାକୁ ଧମକ ମିଳିଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ ।

ପୋଲିସର କହିବା ଅନୁସାରେ, ଗତ ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ବିମାନକୁ ଚଢିବା ପୂର୍ବରୁ ଯାତ୍ରୀମାନଙ୍କର ଯାଞ୍ଚ କରାଯାଉଥିଲା । ଏହି ସମୟରେ ଦୁଇଜଣ ଯାତ୍ରୀ ବିମାନବନ୍ଦରକୁ ପରମାଣୁ ବୋମା ପକାଇ ଉଡ଼ାଇବା କଥା କହି ସୁରକ୍ଷା କର୍ମୀଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ପୁରା ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା ।

ପୋଲିସର କହିବା ଅନୁସାରେ, ଧମକ ଦେଇଥିବା ଉକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏୟାରପୋର୍ଟ ପୋଲିସ ଷ୍ଟେସନରେ ଧାରା ୧୮୨/୫୦୫(୧) ବି ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ବୋମା ଧମକ ପାଇବା ପରେ ଦିଲ୍ଲୀ ପୋଲିସ ସତର୍କ ହୋଇପଡିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବିମାନବନ୍ଦରକୁ ଏପରି ଧମକ ମିଳିଛି । ଗତ ଫେବୃଆରୀ ୨୭ରେ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ ଆସିଥିଲା । ଯାହାପରେ ପୁରା ବିମାନକୁ ତନ ତନ କରି ଯାଞ୍ଚ କରିଥିଲେ ସୁରକ୍ଷାକର୍ମୀ । କିନ୍ତୁ ବିମାନ ଭିତରୁ କିଛି ମିଳିନଥିଲା ।

Comments are closed.