Latest Odisha News

ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଗଲାଣି ଗ୍ରୀଷ୍ମପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି । ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ କ’ଣ ରହିବ ଗ୍ରୀଷ୍ମ ପ୍ରବାହର ସ୍ଥିତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହି ବୈଠକରେ ଗ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ହସ୍ପିଟାଲ ଗୁଡିକରେ ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍ସ, ଓଆରଏସ ଏବଂ ପାନୀୟ ଜଳ ଆଦି ମହଜୁଦ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରୁ ଜିଲ୍ଲା ସ୍ତରରେ ସମନ୍ୱୟ ରକ୍ଷା କରି ଖରାତାତିରୁ ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଟେଲିଭିଜନ୍, ରେଡିଓ ଏବଂ ସୋସିଆଲ୍ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ଆଞ୍ଚଳିକ ଭାଷାରେ ଏହି ସ୍ଥିତି ସମ୍ପର୍କିତ ଅତ୍ୟାବଶ୍ୟକ ସୂଚନା ଓ ନିର୍ଦ୍ଦେଶାବଳି ଜାରି କରାଯିବା ନେଇ ନିର୍ଦ୍ଦେଶ ରହିଛି । ଜଙ୍ଗଲ ନିଆଁ ଲିଭାଇବା ଉପରେ ଆଲୋଚନା ହୋଇଛି ।
ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମଡି ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।

Comments are closed.