ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଗାଆଁର ସାଧାରଣ ଲୋକ
ନ ହୋଇ ସୁଦ୍ଧା ଆଧୁନିକ
ସ୍ବଭାଷା କରି ବ୍ୟବହାର
ରଖଂତି ମର୍ଯାଦା ତାହାର
ସେମାନେ ହୋଇ ଏକଭାଷୀ
ସମଭାଷୀ ସହିତ ମିଶି
କରଂତି ଭାବ ବିନିମୟ
ତାଂକ ମନେ ନ ଥାଏ ଭୟ
ସୂଚନା ଆଦାନପ୍ରଦାନ
କରିଥାଆଂତି ପ୍ରତି ଦିନ
ଭାଷାରେ ଦିଶେନି ଅଭାବ
ନିତି କରଂତି ଅନୁଭବ
ଏପରି ଲୋକ ଯଶ-ପ୍ରାର୍ଥୀ
ସତରେ କେବେ ନ ହୁଅଂତି
ଭାଷାକୁ ସେତୁ ମନେ କରି
ହୁଅଂତି ନିତ୍ୟ ବ୍ୟବହାରୀ
ଏମାନଂକର ଅବଦାନ
ହେଲେ ସୁଦ୍ଧା ଗୁରୁତ୍ବପୂର୍ଣ
କେହି ନ କରଂତି ସ୍ବୀକାର
ଲୋଡ଼ା ଏହାର ପ୍ରତିକାର
ଲୋକଭାଷାକୁ ଭାବି ନ୍ୟୂନ
ଏଠାରେ ଅଳ୍ପଜ୍ଞାନୀ ଜନ
କରଂତି ଯେତେ ଅନାଦର
ତାହା କି ଲାଗଇ ସୁଂଦର ?
ଲୋକଭାଷାରେ ନାହିଁ ଖୁଣ
ଅଥଚ ଜ୍ଞାନୀଂକ ଲକ୍ଷଣ
ନୁହଇ ଭାଷା-ଅନୁକୂଳ
ତେଣୁ ତ ମିଳୁଛି କୁଫଳ
ଜ୍ଞାନୀ, ଅଜ୍ଞାନ ଦୁଇ ଭାଗ
ହୋଇ କରଂତି ବିଶ୍ବ-ଭୋଗ
ସୁଯୋଗ ସହିତ ଦୁର୍ଯୋଗ
ହୋଇପାରେନି କେବେ ସାଂଗ
ଏତେଟେ ପାତରଅଂତର
ଥାଇ ବି ସମାଜ, ସଂସାର
ଚଳୁଛି ଭାଗ୍ୟାଧୀନ ହୋଇ
ଯୁକ୍ତିସଂଗତ କିଛି ନାହିଁ
ଜୀବନ ହେଲେ ହେଁ ସମାନ
ବିତ୍ତର ସୁଷମ ବଂଟନ
ଆଡ଼କୁ ଯାଉନାହିଁ ଧ୍ୟାନ
ଘଟୁଛି ସର୍ବଦା ପତନ
Comments are closed.