ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଡମ୍ବରୁଧର ବେହେରା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଡମ୍ବରୁଧର ବେହେରାଙ୍କ ସହ ‘ଅଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ଯଦି କେହି ମୋତେ ପଚାରନ୍ତି ତାହାହେଲେ ମୁଁ ଏତିକି କହିବି ମୁଁ ଜଣେ ସାମାଜିକ ପ୍ରାଣୀ ,ସାଧାରଣ ମଣିଷଟିଏ।ସମାଜରେ ମୁଁ ଯାହା ଦେଖେ କିମ୍ବା ଅନୁଭବ କରେ ତାହାକୁ ମୁଁ ମୋ କଲମ ମୁନରେ ପ୍ରକାଶ କରିବାକୁ ଚେଷ୍ଟା କରେ। ଯେତେବେଳେ ସମାଜର ଦୁଃଖ,ଦୁର୍ଦ୍ଦଶା,ଅତ୍ୟାଚାର,ଅନ୍ୟାୟ, ଆଦିକୁ ଦେଖେ , ସେତେବେଳେ ମୋ ଅନ୍ତର ଆତ୍ମାରେ ଏକ ପ୍ରକାର ‘କୋହ ‘ ଜାତହୁଏ।ଆଖିରୁ ନିଦ ହଜିଯାଏ।ଜୀବନର ବାଳ ସୂର୍ଯ୍ୟ ରୂପକ ଶାନ୍ତି ଉଭେଇଯାଏ ଅସ୍ତଗାମି ସୂର୍ଯ୍ୟ ସମ।ଏହି କୋହଭରା ମନକୁ ହାଲକା କରିବା ସକାଶେ ବିଦ୍ରୋହୀ ମନ ବ୍ୟତିବ୍ୟସ୍ତ ହୁଏ । କଥା କହେ , ଶବ୍ଦ ସହ ଶବ୍ଦର ଲଢ଼େଇ ହୁଏ ହାତରେ କଲମ ଧରାଇ ଦିଏ। ଆପଣାଛାଏଁ ସାଧା କାଗଜ ଉପରେ କିଛି ଲେଖିବା ପାଇଁ।
ସାହିତ୍ୟ ସର୍ଜନା ପାଇଁ ଆଗ୍ରହ ସାହିତ୍ୟ କଣ ଜାଣିବା ଆଗରୁ ଆସିଥିଲା ?
ହଁ , ନିଶ୍ଚୟ ଯେତେବେଳେ ମୁଁ ଛୋଟ ଥିଲି । ମୋ ଗାଁ ମୋ ସାହିରେ ରାମ ନାଟକ ,ପ୍ରହ୍ଲାଦ ନାଟକ , ହରିଶ୍ଚନ୍ଦ୍ର, ଅଭିମନ୍ୟୁ ବଧ ଆଦି ଡ୍ରାମା ପରିବେଷଣ ହୋଇ ଆସୁଥିଲା।ଏଥିରେ ଛୋଟିଆ ମୋଟିଆ ଚରିତ୍ରରେ ମଧ୍ୟ ମୁଁ ଅଭିନୟ କରି ଆସୁଥିଲି। ଏଣୁ ପିଲାଟିଦିନରୁ ମୋ ମନରେ ଏକ କଳକାରଟିଏ ହେବାର ନିଶା ଘାରୁଥିଲା।ପରବର୍ତ୍ତୀ ସମୟରେ ମୋ ପଡ଼ିଶା ଘରର ଜଣେ ଦାଦା ସର୍ବଦା ନାଟକ , ଗଳ୍ପ ,ଉପନ୍ୟାସ ଆଦି ପଢୁଥିବା ଦେଖି ଏବଂ ସେଗୁଡିକୁ ମାଗିଆଣି ବା ଲୁଚାଇଆଣି ପଢ଼ୁ ପଢ଼ୁ ମୋ ମନରେ ଜଣେ କବି ବା ଲେଖକଟିଏ ହେବାର ଲାଳସା ଜାଗ୍ରତ ହେଲା। କ୍ରମଶଃ ଯେବେଠୁ ସ୍ନାତକରେ ଓଡ଼ିଆ ସାହିତ୍ୟକୁ ସମ୍ମାନ ପତ୍ର ଭାବେ ରଖି ଆସିଲି ସେବେଠୁ ମୋ ଜାଣତରେ ହେଉ ଲେଖିବା ଆରମ୍ଭ ହେଲା। ବିଶେଶକରି ଏହି ମହାଦ୍ରୁମ ହେବାରେ ମୁଖ୍ୟ ସହାୟକ ହେଉଛି ମୋ ଗାଁ ଲୁଣିଆ ହ୍ରଦ , ମୁହାଣ, ସମୁଦ୍ର, ପୋଖରୀ, କୂଅ, ଗାଡିଆ, ବାଡ ବଗିଚା,କୋଠ ଘର,ମଠ ,ମନ୍ଦିର ,ପିଲାଦିନ ,ମଶାଣି ଭୂଇଁ ଆଉ ସେହି ଜନ୍ମଭୂମି ସୁରଳ ଗ୍ରାମରମାଟି , ପାଣି, ପବନ, ଭାଷା, ରୀତି,ନୀତି,ସଂସ୍କୃତି,ପରମ୍ପରା, ଟାଇଟାପରା , ଯାନିଯାତ୍ରା ମନୋଲୋଭା ନିଆରା କଥା।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମ ପ୍ରକାଶିତ ଲେଖା ପ୍ରଥମ ପ୍ରେମ ପରି ଅଭୁଲା , ଅପାସୋରା ଜହ୍ନରାତି କହିଲେ ଅତ୍ୟୁକ୍ତିହେବନାହିଁ।ଖଲ୍ଲିକୋଟ ମହାବିଦ୍ୟାଳୟ ବ୍ରହ୍ମପୁର ସହରରେ ଯୁକ୍ତ ତିନି ପଢ଼ୁଥିବାବେଳେ “ସବୁ କାହିଁକିର ଶୂନ୍ୟ ଉତ୍ତର ” ନାମକ ଏକ ପ୍ରେମ କବିତାଟିଏ ପ୍ରକାଶିତ ହୋଇଥିଲା । ପରେ ପରେ ଅନେକ କବିତା ଓ ସମୀକ୍ଷା କଲେଜ ମାଗଜିନରେ କ୍ରମାଗତଭାବେ ପ୍ରକାଶ ପାଇ ଆସୁଥିଲା। ପ୍ରଥମ ଗଳ୍ପ କହିଲେ ସୁନ୍ଦରଗଡ ଜିଲ୍ଲାରୁ ପ୍ରକାଶ ପାଉଥିବା ‘ବନାନୀ ‘ ସାହିତ୍ୟ ପତ୍ରିକାରେ ପ୍ରକାଶିତ ଗଳ୍ପ ‘ହରିଭାଇ ‘ । ଯାହା ମୋ ‘ ରକ୍ତଗତ ସମ୍ପର୍କୀୟ ପରିବାରର ବାସ୍ତବିକ ଘଟଣା ଆଧାରିତ କରୁଣ ହୃଦୟ ବିଦାରକ କାହାଣୀ। ଅଧୁନା ଓଡ଼ିଆ ଦୈନିକ ଖବର କାଗଜରେ ଅନେକ କବିତା ଓ ଗଳ୍ପ ପ୍ରକାଶ ପାଇ ଆସୁଅଛି।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ମୋର ସାଧାରଣ ଜ୍ଞାନରେ ମୁଁ ଈଶ୍ୱରଙ୍କୁ ନିକଟରେ ନିକଟତର ଭାବେ ଅନୁଭବ କରେ। ବିଶ୍ୱାସ କରେ।ଈଶ୍ବରଙ୍କ ସୃଷ୍ଟି ସତ୍ୟ, ଶିବ,ସୁନ୍ଦର ସର୍ଜନା।ସଂସାରରେ ସମସ୍ତ ସୃଷ୍ଟି ପଛରେ କିଛି ନା କିଛି ଆବଶ୍ୟକତା ରହିଛି।କାରଣ ଯେଉଁଠି ଆବଶ୍ୟକତା ନଥାଏ ସେଠାରେ ଅଭାବତାରବୋଧ ଅନୁଭବ ହୁଏ ନାହିଁ।ଏହି ହେତୁରୁ ଜଗତରେ ସ୍ରଷ୍ଟାର ଆବଶ୍ୟକତା ଯେତିକି ସୃଷ୍ଟିର ଆବଶ୍ୟକତା ମଧ୍ୟ ସେତିକି।ସ୍ରଷ୍ଟା ନଥିଲେ ସୃଷ୍ଟି ନଥାନ୍ତା।ସୃଷ୍ଟି ନଥିଲେ ସୌନ୍ଦର୍ଯ୍ୟବୋଧତା ନଥାନ୍ତା।ଯେଉଁ ସୌନ୍ଦର୍ଯ୍ୟବୋଧତାକୁ ସ୍ରଷ୍ଟା ପରଖି ଏକ ନୂତନ ଭାବନାରେ ସର୍ଜନା କରିବାରେ ସମର୍ଥ ହୋଇପାରନ୍ତି।ସେ ହୋଇପାରେ କବି,ଲେଖକ ବା କଳାକାର ।ମନୁଷ୍ୟକୃତ ହେଉ ବା ଇଶ୍ୱରକୃତ ଯେକୌଣସି ସୃଷ୍ଟି ହେଉ ସମସ୍ତ ପଛରେ ଆବଶ୍ୟକତା ନିହିତ।
ତାଙ୍କ ରଚନାରୁ କବିତା : ଛାଇ କି ଛାୟା
ମୋ ଚାରିପାଖେ
ଚାରି ଦିଗେ
ଚାରି କୋଣେ
ନିରବତା
ନିର୍ଜନତାର ଡାକ
ଆ…ଆ..ଆ..
ମୋ ପାଖକୁ
ଯାହା ମାଗିବ ତାହା ଦେବି…!
ନା ଆସିବାକୁ ଇଚ୍ଛା କରୁଛି
ନା ରହିବାକୁ
କହିଲେ କହୁଛି
ମୁଁ କାଳେ
ମିଛି ମିଛିକା
ଅଭିନୟ କରୁଛି
ପ୍ରହେଳିକାର ମାୟା ରଚୁଛି
ଇନ୍ଦ୍ରଜାଲିକାର
ବାଟଭୁଲା ପ୍ରାଚୀର…!
ଯାହା ତା ‘ ପାଇଁ
ଛାଇ କି ଛାୟା
ବୁଝିବା
କଷ୍ଟକର ବ୍ୟାପାର
ଧୁବ ଘାସର
ସବୁଜ ଚାଦର,ବତର କି ଅତର…!!
Comments are closed.