ସମ୍ବଲପୁର: ଦୁଇ ଦିନ ପୂର୍ବେ କଂଗ୍ରେସ ଛାଡିଥିଲେ ଆଜି ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ପରେ ସେ ଏହାକୁ ଫେରାଇ ନେଇ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ।
ଦଳ ଚିନ୍ତା କରିଥିଲା ଦୁଲାଲଙ୍କ ତୁଳନାରେ ନଗେନ୍ଦ୍ର ପ୍ରଧାନ ଜଣେ ଭଲ ପ୍ରାର୍ଥୀ । ଏହା ବିଜେଡିର ଭୋଟ୍ ବ୍ୟାଙ୍କ କାଟିବ । ଏଥିସହ ପୂର୍ବରୁ ନଗେନ୍ଦ୍ର ସମ୍ବଲପୁରରୁ ସାଂସଦ ଥିବାରୁ ଦଳ ଭୋଟ୍ ହାତେଇବାରେ ସଫଳ ହେବ ବୋଲି ଚିନ୍ତା କରୁଥିଲା । ଯାହାକୁ ନେଇ ଦୁଲାଲ ପ୍ରଧାନଙ୍କ ଠାରୁ ଟିକେଟ୍ ଫେରାଇ ନେଇ ଏବେ ନଗେନ୍ଦ୍ର ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଦୁଲାଲ ଦଳ ଛାଡିଥିବା କୁହାଯାଉଛି ।
କଂଗ୍ରେସ ଛାଡିବା ପରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦୁଲାଲ ପ୍ରଧାନ ।
ଏବେ ଦୁଲାଲ ବିଜେପିରେ ଯୋଗ ଦେବା ପରେ ବିଜେପିକୁ ଅଧିକ ବଳ ମିଳିପାରେ । କାରଣ ଦୁଲାଲ କଂଗ୍ରେସର ଜଣେ ପୁରୁଣା କର୍ମୀ । ତାଙ୍କର ନିଜସ୍ବ ପକେଟ ଭୋଟ୍ ରହିଛି । ଏହିପରି ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ରାସେଶ୍ବରୀ ପାଣିଗ୍ରାହୀଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ପ୍ରାର୍ଥୀ ଭେଟିଥିଲେ । ଏପରି କରି ଧର୍ମେନ୍ଦ୍ର ପ୍ରଧାନ ରାସେଶ୍ବରୀଙ୍କ ଭୋଟ୍ କୁ ବିଜେପି ଆଡୁକୁ ଆଣିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।
Comments are closed.