ପୁରୀ: ପୁରୀରେ ନାମାଙ୍କନ ଭରିଲେ ସତ୍ୟବାଦୀ ବିଜେପି ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ ପୂର୍ବକ ଯାଇ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ଭରିବା ପରେ ଓଡ଼ିଆ ଅସ୍ମିତା ଓ ସତ୍ୟବାଦୀର ଚାଷୀଙ୍କ ପାଇଁ ଏ ନିର୍ବାଚନ ଲଢିବି ବୋଲି କହିଛନ୍ତି ଓମ୍ ।
ସେ ଆହୁରି କହିଛନ୍ତି ଯେ, ସତ୍ୟବାଦୀର ସ୍ଵାଭିମାନ ମାଟିରେ ଏଥର ମୁଁ ନୁହେଁ ଜନସାଧାରଣ ଲଢ଼ିବେ । ପଞ୍ଚସଖା ବକୁଳବନ ହେଉ କିମ୍ବା ଚାଷୀ ପ୍ରସଙ୍ଗ ହେଉ କିମ୍ବା ସତ୍ୟବାଦୀରେ ପାଣି ପାଇଁ ଡହଳ ବିକଳ ହେବା ପ୍ରସଙ୍ଗ ହେଉ ସବୁଥିରେ ସତ୍ୟବାଦୀକୁ ପଛୁଆ ରଖାଯାଇଛି ତେଣୁ ଏଥର ସ୍ଵାଭିମାନୀ ଜନତା ନିଶ୍ଚୟ ଭୋଟ୍ ରେ ଜବାବ ଦେବେ ବୋଲି କହିଛନ୍ତି ଓମ୍ । ୨୪ ବର୍ଷ ଭିତରେ ରାଜ୍ୟ ସରକାର କ’ଣ କରୁଥିଲେ ଏବେ ନୂଆ ଓଡ଼ିଶା ନାରା ଦେଇ ଛାତ୍ର ଛାତ୍ରୀଙ୍କୁ ଅଶ୍ଳୀଳ ନୃତ୍ୟ କରାଉଛନ୍ତି ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ଓମ୍ ।
ସେପଟେ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ । ପିପିଲି ହେଭିୱେଟ୍ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଜିତି ବିଧାୟକ ହୋଇଥିଲେ ରୁଦ୍ର । ପୁନର୍ବାର ସେବା କରିବା ପାଇଁ ପିପିଲିବାସୀ ସୁଯୋଗ ଦେବେ ବୋଲି କହିଛନ୍ତି ରୁଦ୍ର । ୨ ବର୍ଷ ମଧ୍ୟରେ ଅଧୁରା ଅନେକ କାର୍ଯ୍ୟକୁ ପୁରା କରାଯାଇଛି ଏବଂ ଆଗାମୀ ଦିନରେ ଅନ୍ୟ ଦାବି ଗୁଡ଼ିକ ପୂରଣ ହେବ । ନବୀନ କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରନ୍ତି ଏବଂ ପୁଣି ଥରେ ନିର୍ବାଚନରେ ବିଜେଡି ଓ ନବୀନଙ୍କ ବିଜୟ ହେବ ବୋଲି କହିଛନ୍ତି ରୁଦ୍ର ମହାରଥୀ ।
ସେପଟେ, ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ମଧ୍ୟ ନାମାଙ୍କନ ଭରିଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳର ହିଁ ବିଜୟ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଉମା ।
ସେଭଳି ସତ୍ୟବାଦୀ ସ୍ବାଧିନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସତ୍ୟବାଦୀ ଜନତା ସ୍ବାଧିନ ପ୍ରାର୍ଥୀକୁ ଅନେକ ଥର ଜିତେଇ ଆସିଛନ୍ତି ତେଣୁ ଏଥର ବିଜୟ ଲାଭ କରିବି କହିଛନ୍ତି କାମାକ୍ଷା । ରାଜନୈତିକ, ସାମାଜିକ ନ୍ୟାୟ ଦେବା ପାଇଁ ଏ ଲଢେଇ ବୋଲି ପ୍ରତିକ୍ରିୟା ରଖିଛନ୍ତି କାମାକ୍ଷା ।
Comments are closed.