Latest Odisha News

BREAKING NEWS

ବୁଲି ଯାଆନ୍ତୁ ‘ଉତ୍ତର ଭାରତୀୟ ନାଗର ଶୈଳୀ’ରେ ନିର୍ମିତ ବାରାଣସୀର ଦୁର୍ଗା ମନ୍ଦିର

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟର ବାରାଣସୀଠାରେ ରହିଛି ମା’ ଦୁର୍ଗାଙ୍କ ଭବ୍ୟ ମନ୍ଦିର । ଯାହା ଦୁର୍ଗା କୁଣ୍ଡ ମନ୍ଦିର ନାମରେ ମଧ୍ୟ ପରିଚିତ ।

ଇତିହାସ କହେ, ବଙ୍ଗୀୟ ମହାରାଣୀଙ୍କ ରାଣୀ ଭବାନୀଙ୍କ ଦ୍ଵାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।ଏଠାରେ ମା’ଙ୍କ ଆବିର୍ଭାବକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ। କୁହାଯାଏ ଆଜକୁ ବହୁ ବର୍ଷ ପୂର୍ବେ ବାରାଣସୀର ଜନୈକ ରାଜା ନିଜ ପୁତ୍ରୀଙ୍କର ବିଭାଘର ପାଇଁ ସ୍ବୟଂମ୍ବର ସଭାର ଆୟୋଜନ କରିଥିଲେ।

କିନ୍ତୁ ଯେତେବେଳେ ରାଜା ଜାଣିଲେ ତାଙ୍କ ପୁତ୍ରୀ ଅନ୍ୟ କାହାକୁ ଭଲ ପାଉଛନ୍ତି, ସେତେବେଳେ ସିଏ ଗୁପ୍ତରେ ତାଙ୍କ ପୁତ୍ରୀଙ୍କର ସେହି ଯୁବକଙ୍କ ସହ ବିବାହ କରାଇଦେଇଥିଲେ । ମାତ୍ର ଏକଥା ସ୍ବୟଂମ୍ବରକୁ ଆମନ୍ତ୍ରିତ ହୋଇ ଆସିଥିବା ରାଜାମାନେ ଜାଣିଲା ପରେ କ୍ରୋଧରେ ଜର୍ଜରିତ ହୋଇଗଲେ ଏବଂ ବାରାଣସୀ ରାଜାଙ୍କ ସହ ଯୁଦ୍ଧ କରିବାକୁ ଡାକରା ଦେଲେ ।

ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବାରାଣସୀ ରାଜାଙ୍କ ଜ୍ୱାଇଁ ମା’ ଦୁର୍ଗାଙ୍କୁ ସ୍ମରଣ କଲେ । ଜ୍ୱାଇଁଙ୍କ କଠିନ ତପ ବଳେ ମା’ ଉଭା ହୋଇ ଯୁଦ୍ଧରେ ବାରାଣସୀ ରାଜାଙ୍କୁ ଜିତାଇଥିଲେ । ସେହିଦିନଠାରୁ ବାରାଣସୀ ରାଜା ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିଆସୁଥିଲେ।

ପରବର୍ତ୍ତୀ ସମୟରେ ସେଠାରେ ମା’ ଦୁର୍ଗାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକୁ ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀ ତିଆରି କରିଥିଲେ ବୋଲି ଲୋକେ କହନ୍ତି ।

ଏହି ଭବ୍ୟ ମନ୍ଦିରର କାରୁକାର୍ଯ୍ୟ ଉତ୍ତର ଭାରତୀୟ ନାଗର ଶୈଳୀରେ ନିର୍ମିତ ହୋଇଥିବା କୁହାଯାଏ । ଏହି ମନ୍ଦିରରେ ମା’ ଦୁର୍ଗା ‘ଯନ୍ତ୍ର’ ରୂପରେ ବିରାଜିତା।

ସେହିପରି ମନ୍ଦିର ମଧ୍ୟରେ ମା’ଙ୍କର ଏକ ପ୍ରତିମା ମଧ୍ୟ ରହିଛି, ଯାହାର ରଙ୍ଗ ଈଷତ୍‌ ଲାଲ୍‌।

ମା’ ଦୁର୍ଗାଙ୍କ ବ୍ୟତୀତ ଏଠାରେ ବାବା ଭୈରବନାଥ, ମାତା ଲକ୍ଷ୍ମୀ, ମାତା ସରସ୍ବତୀ, ମାତା କାଳୀଙ୍କର ଛୋଟ ଛୋଟ ମୂର୍ତ୍ତିକୁ ବି ପୂଜା କରାଯାଇଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମୟରେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲାଗି କରିଥାନ୍ତି।

କେହି କେହି ଏଠାରେ ତନ୍ତ୍ର ପୂଜା ବି କରାଇଥାନ୍ତି। ତା’ଛଡ଼ା ମନ୍ଦିର ଭିତରେ ଥିବା ଯଜ୍ଞ କୁଣ୍ଡରେ ପ୍ରତିଦିନ ଯଜ୍ଞ ହେଉଥିବାର ଦୃଶ୍ୟ ଏକ ଭକ୍ତିର୍ପୂ୍‌ଣ୍ଣ ପରିବେଶ ସୃଷ୍ଟି କରିଥାଏ ।

ବର୍ଷର ସବୁ ସମୟରେ ଏଠାକୁ ଭକ୍ତଙ୍କର ଯା’ଆସ ଲାଗି ରହିଥାଏ। ତେବେ ପ୍ରତି ମଙ୍ଗଳବାର, ଶନିବାର, ନବରାତ୍ରୀ ତଥା ଦଶହରା ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ। ନବରାତ୍ରୀ ଓ ଦଶହରା ସମୟରେ ଏଠାରେ ସ୍ବତନ୍ତ୍ର ମେଳାର ଆୟୋଜନ ମଧ୍ୟ କରାଯାଇଥାଏ, ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତି।

ଯିବେ କିପରି:

ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଲାଲ୍‌ ବାହାଦୁର ଶାସ୍ତ୍ରୀ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର।

ଅନ୍ୟପକ୍ଷେ ବାରାଣସୀ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଏଠାକୁ ଯା’ଆସ କରିଥାଏ।

Leave A Reply

Your email address will not be published.