Latest Odisha News

ବିଜେପିକୁ ବିଜେଡିର ଆକ୍ଷେପ, ଓଡ଼ିଶାରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜୁ ଜନତା ଦଳ ବାରମ୍ବାର ପ୍ରଶ୍ନ କରୁଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ସକାଳୁ ସକାଳୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏକ୍ସ’ରେ ଏକ ପୋଷ୍ଟ କରି କହିଥିଲେ ଯେ, ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନିନେଇଛି। ଆଜି ଦିନ ୧୧.୩୦ ବେଳେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ଚଳିତ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ଚେହେରା ନାହାଁନ୍ତି । ଯେଉଁଥିପାଇଁ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରୁନାହିଁ ବୋଲି ସେ ତାଙ୍କ ସୋଶିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଆଜି ହିନ୍ଦୋଳରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବିଜେପିକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି। ବିଜେପିକୁ ଆକ୍ଷେପ କରି ପାଣ୍ଡିଆନ କହିଛନ୍ତି ଯେ, ଆଜି ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ହୋଇପାରିଲାନି । ଅଧାରେ ରହିଗଲା ବିଚାର ବୋଲି କହିଛନ୍ତି ପାଣ୍ଡିଆନ।

ଏହି ପ୍ରସଙ୍ଗକୁ ନେଇ ବିଜେଡିର ବରିଷ୍ଠ ନେତାମାନେ ବାରମ୍ବାର ବିଜେପିକୁ ଘେରିଛନ୍ତି। ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଭେଳିକି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲାନି ଓଡ଼ିଶା ବିଜେପି । ଏନେଇ ବିଜେପିକୁ କଟାକ୍ଷ କରି ସାସଂଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଆଜି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଶୁଣିଥିଲୁ । ହେଲେ ବିଜେପିରେ ଆଶାୟୀଙ୍କ ମଧ୍ୟରେ କଳି ଯୋଗୁଁ ନାଁ ଘୋଷଣା ହୋଇପାରିଲାନି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଓଡ଼ିଶା ବିଜେପି ୪ ଖଣ୍ଡ ହୋଇଯିବ ।

Comments are closed.