Latest Odisha News

ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!

କେନ୍ଦୁଝର: ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତାମାଳ! କେନ୍ଦୁଝରର ଏହି ପ୍ରଭାବଶାଳୀ ବ୍ୟକ୍ତି ଚଳିତଥର ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ପ୍ରଚାର ବେଳେ ତାଙ୍କ ବେକରେ କିଏ ଜଣେ ଆସି ଜୋତା ମାଳ ପକାଇ ଦେଇଛି। ଯାହାକୁ ନେଇ କେନ୍ଦୁଝର ରାଜନୀତି ସରଗରମ।

ସନା ଜଣେ କ୍ଷମତାଶାଳୀ ବ୍ୟକ୍ତି ହୋଇଥିବାରୁ ଅନେକ ଲୋକ କୁଆଡେ ତାଙ୍କ ବିରୋଧରେ କଥା କହିବାକୁ ସାହାସ ଜୁଟାଇ ପାରନ୍ତି ନାହିଁ। କିନ୍ତୁ ଏପରି ସ୍ଥିତିରେ ବି ଜଣେ ଲୋକ ଅନ୍ଧାରରେ ଆସି ତାଙ୍କ ବେକରେ ଜୋତା ମାଳ ପକାଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିଜେଡି ନେତା ଗାଁ ଗାଁରେ ନିର୍ବାଚନ ପ୍ରଚାର କରୁଥିଲେ। ଗତକାଲି ସଂଧ୍ୟାରେ ସେ ମିରିଗିସିଂହା ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥିଲେ। ଲୋକମାନେ ନେତାଙ୍କୁ ଫୁଲମାଳା ଦେଇ ସ୍ୱାଗତ କରୁଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ମଦ୍ୟପ ଅବସ୍ଥାରେ ହଠାତ ଚପଲ ମାଳ ଧରି ଲୋକଙ୍କ ଭିଡରେ ପଶି ସନାଙ୍କ ବେକରେ ରଖି ଦେଇଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ସନା ମହାକୁଡ ଓ ତାଙ୍କ ସମର୍ଥକମାନେ ସେହି ଜୋତା ମାଳକୁ ଠେଲି ଦେଉଛନ୍ତି। ହଠାତ୍ ଘଟିଥିବା ଏହି ଘଟଣାକୁ ନେଇ ବିଜେଡି ନେତା ଓ ତାଙ୍କ ସମର୍ଥକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଲୋକେ ବିଜେଡି ନେତାଙ୍କୁ ବିରୋଧ କରି ଆସୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏବେର ବିଧାୟକ ମୀନାକ୍ଷୀ ମହାନ୍ତି ଏହି ଗାଁର ବାସିନ୍ଦା। ବିଧାୟକ ହେବା ପରେ ସେ ଲୋକଙ୍କଠାରୁ ନିଜକୁ ଅଲଗା କରି ନେଇଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟ ତାଙ୍କ ନେତୃତ୍ୱକୁ ବିରୋଧ କରୁଥିଲେ। ଏଥର ମୀନାକ୍ଷୀଙ୍କୁ ବିଜେଡି ଟିକେଟ ମିଳିନଥିବା ବେଳେ ତାଙ୍କ ବଦଳରେ ସନା ମହାକୁଡଙ୍କୁ ଟିକେଟ ଦିଆଯାଇଛି। ସୂଚନାଯୋଗ୍ୟ, ସନା ମହାକୁଡ଼ଙ୍କ ନାମାଙ୍କନ ଦାଖଲ ସମୟରେ ମୀନାକ୍ଷୀଙ୍କୁ ଦେଖିବାକୁ ମିଳିନଥିଲା। ଯଦିଓ ସନାଙ୍କ ପକ୍ଷରୁ କିମ୍ବା ବିଜେଡି ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ମୀନାକ୍ଷୀଙ୍କ ସମର୍ଥକ ରାଗରେ ଏପରି କାମ କରିଥାଇପାରନ୍ତି ବୋଲି କୁହାଯାଉଛି।

Comments are closed.