Latest Odisha News

BREAKING NEWS

ଫେଡେରେଶନ କପ ଆଥଲେଟିକ୍ସ: କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ଅଲିମ୍ପିକ ପଦକ ବିଜେତା ନୀରଜ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଫେଡେରେଶନ କପ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ପ୍ରଶଂସକଙ୍କ ମନ ଜିଣିଛନ୍ତି । ଜାଭେଲିନ ଥ୍ରୋୟର ନୀରଜ ୮୨.୨୭ ମିଟର ଦୂରତାକୁ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଡିପି ମନୁ ୮୨.୦୬ ମିଟର ସହ ରୌପ୍ୟ ଏବଂ ଉତମ ପାଟିଲ ୭୮.୩୯ ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ୨୬ ବର୍ଷୀୟ ନୀରଜ କିନ୍ତୁ ଏଠାରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି । ଡାଇମଣ୍ଡ ଲିଗରେ ସେ ୮୮.୩୬ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ଅଲିମ୍ପିକ୍ସ ପୂର୍ବରୁ ୯୦ ମାର୍କ ସେ ଛୁଇଁ ନ ପାରିବା ସମୀକ୍ଷକଙ୍କୁ କିଛି ମାତ୍ରାରେ ଚିନ୍ତାରେ ପକାଇଛି ।

ଫେଡେରେଶନ କପ ମାଧ୍ୟମରେ ଅନ୍ୟ ଆଥଲେଟ ଅଲିମ୍ପିକ୍ସ ଟିକେଟ କାଟିବା ସମ୍ଭାବନା ଥିଲା । ତେବେ ୮୫.୦୫ ମିଟର ମାର୍କକୁ କେହି ଅତିକ୍ରମ କରିପାରି ନ ଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ନୀରଜ ଓ କିଶୋର ଜେନା ପ୍ୟାରିସ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇ କରି ପାରିଛନ୍ତି । ନୀରଜଙ୍କ ପ୍ରଦର୍ଶନ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକ ପୂର୍ଣ୍ଣ ହୋଇ ଯାଇଥିଲେ । ୩ ବର୍ଷ ପରେ ଏହି ଷ୍ଟାର ଆଥଲେଟ ଘରୋଇ ଟୁର୍ଣ୍ଣାମେଂଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ଓଡିଶାର କିଶୋରଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି ।

Leave A Reply

Your email address will not be published.