Latest Odisha News

BREAKING NEWS

କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?

ଭୁବନେଶ୍ବର : କଟକରେ ସଂତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମହାମୁକାବିଲା। କଟକ ଲୋକସଭା ଆସନରୁ ଗତ ୬ଥର ହେଲା ଜିତି ଆସୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ଏଥର ସେ ଟିମ୍ ବଦଳାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ ବିଜେଡି କର୍ପୋରେଟ୍ କ୍ୟାପଟେନ୍ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ସଂତୃପ୍ତ ରାଜନୀତିରେ ନୂଆ, ତେବେ ବିଜେଡିର ସୁଦୃଢ ସଂଗଠନ ତାଙ୍କ ପାଇଁ ବଡ ବଳ ହେଇପାରେ । ସେପଟେ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଗତ ୬ଥର ହେଲା ବିଜେଡିକୁ ଏକପାଖିଆ ବାଛିଥିବା କଟକ ଏଥର କାହାକୁ କରିବ ଭରସା ?

ଭର୍ତ୍ତୃହରିଙ୍କୁ ପୁଣି ଭରସା !
ବିଜେଡି ଗଠନ ପରଠୁ କଟକ କବଜା କରିଆସୁଛି । ୨୦୨୪ ଯାଏଁ ବିଜେଡିର କଟକ ସାରଥି ରହିଛନ୍ତି ଭର୍ତ୍ତୃହରି ମହତାବ । ସାମ୍ବିଧାନିକ ଅଭିଜ୍ଞତା ସାଙ୍ଗକୁ କଟକ ଲୋକସଭାର ଚିହ୍ନା ଚେହେରା ଭର୍ତ୍ତୃହରି । ତେବେ ଗତ ଦୁଇ ତିନି ବର୍ଷ ହେଲା ସେ ବିଜେଡିରେ କୋଣଠେସା ହୋଇରହିଥିଲେ । ପରେ ନିଜ ଖବରକାଗଜ ସ୍ତମ୍ଭରେ ରାଜ୍ୟ ସରକାରଙ୍କ ସମାଲୋଚନା ନେଇ ମୁଖର ହୋଇଥିଲେ । ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି । ତେବେ ଏତେବର୍ଷ ଧରି କଟକ ସାଂସଦ ଥିବା ଭର୍ତ୍ତୃହରିଙ୍କୁ ଲୋକଙ୍କୁ ବିକାଶର ହିସାବ ଦେବାକୁ ପଡିବ । କଟକ ପାଇଁ କଣ କରିଛନ୍ତି କହି ଭୋଟରଙ୍କ ଭରସା ଜିତିବାକୁ ପଡିବ । ରାଜ୍ୟ ସରକାର ବିରୋଧୀ ହାଓ୍ବା ଓ ମୋଦି ଲହର ଭର୍ତ୍ତୃହରିଙ୍କୁ ଫାଇଦା ଦେଇପାରେ ।

କର୍ପୋରେଟ୍ କ୍ୟାପଟେନରୁ କଟକ କିଙ୍ଗ !
ରାଜନୀତିରେ ନୂଆ ମୁହଁ ସଂତୃପ୍ତ ମିଶ୍ର। କର୍ପୋରେଟ ଦୁନିଆରୁ ଆସି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସଂତୃପ୍ତ । ତାଙ୍କର ସବୁଠାରୁ ବଡ ବଳ ବିଜେଡିର ସୁଦୃଢ ସଂଗଠନ । ଗତଥର କେବଳ ବାରବାଟୀ-କଟକକୁ ଛାଡି ବାକି ସବୁ ଆସନ ଜିତିଥିଲା ବିଜେଡି । ତେଣୁ କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଂଗଠନ ସନ୍ତୃପ୍ତଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ । ନୂଆମୁହଁ ଭାବେ ସଂତୃପ୍ତଙ୍କ ପାଖରେ ଲୋକଙ୍କ ଅଭିଯୋଗ ନୁହେଁ ବରଂ ଆଶା ରହିବ ।

ବଦଳିଛି ବିଧାନସଭା ଗଣିତ
କଟକ ଲୋକସଭା କ୍ଷେତ୍ରରେ ବିଜେଡିର ମଜଭୂତ ସଂଗଠନ ରହିଛି । ବଡମ୍ବାର ଦେବୀ ମିଶ୍ର ହୁଅନ୍ତୁ କି ଆଠଗଡର ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ହେଭିଓ୍ବେଟଙ୍କ ଗଡ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀ । ତେବେ ଖଣ୍ଡପଡା କଳି ବିଜେଡିକୁ ଅସୁବିଧାରେ ପକାଇପାରେ । ଗତଥର ଖଣ୍ଡପଡାରୁ ସୌମ୍ୟ ପଟ୍ଟନାୟକ ଜିତିଥିବା ବେଳେ ଏବେ ସେ ଦଳରେ ନାହାନ୍ତି । ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଥିବା ବେଳେ ପୁରୁଣା ବିଜେଡି ନେତା ହାତ ଛାଡିଛନ୍ତି । ସେହିପରି ବାରବାଟୀ-କଟକରେ ବି କଡା ଟକ୍କର ହେଉଛି । ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ଭର୍ତ୍ତୃହରିଙ୍କର ନିଜସ୍ବ ନେଟଓ୍ବର୍କ ନଥିବା ବେଳେ ବିଜେପି ସଂଗଠନରୁ ସେ କେତେ ଭୋଟ୍ ପାଇବେ ତାଉପରେ ବି ନଜର ରହିଛି ।

ସମୀକରଣ ବଦଳାଇବ ଶାହା ଶୋ !
କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ରୋଡ୍ ଶୋ କରିଛନ୍ତି ଶାହା। ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ରୋଡ୍ ଶୋ ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ୍ ତ ଭରିଛି । ହେଲେ ପ୍ରଶ୍ନ ଉଠୁଛି, ଭୋଟର ବିଜେପି ଆଡକୁ କେତେ ମୁହାଁଇବେ ? ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ କଟକ ଲୋକସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରୁଛନ୍ତି । ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ ବି ସଂତୃପ୍ତଙ୍କ ସପକ୍ଷରେ ଯାଇପାରେ। ବାରବାଟୀ-କଟକରେ କଂଗ୍ରେସ ସଂଗଠନ ଭଲ ରହିଥିବା ବେଳେ ବାକି ସ୍ଥାନରେ ଦୁର୍ବଳ ରହିଛି । ଲୋକସଭା ଆସନ ଚୟନ ପ୍ରତିବାଦରେ ଆଠଗଡ ପ୍ରାର୍ଥୀ ମେହେବୁବ ମହମ୍ମଦ ଖାଁ ଦଳୀୟ ଟିକେଟ୍ ଫେରାଇ ଦେଇଥିଲେ । ତେଣୁ ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହେବ । ତେବେ ରାଜ୍ୟ ସରକାରଙ୍କୁ ବିଜେପି ନେତାଙ୍କ ମାରାଥନ୍ ଟାର୍ଗେଟ୍ ବଦଳାଇବ କି କଟକ ଗଣିତ ? ପୁଣି ଭର୍ତ୍ତୃହରିଙ୍କୁ ଭରସା କରିବେ ଭୋଟର ନା ସଂତୃପ୍ତଙ୍କୁ ଦେବେ ସୁଯୋଗ?

Comments are closed.