Latest Odisha News

ବିରୋଧୀଙ୍କୁ କଡା ଜବାବ; ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି’

ଭୁବନେଶ୍ୱର: ବିରୋଧୀ ଉଠାଉଥିବା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଆଜି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି ଯେ, ବିରୋଧୀ ନିର୍ବାଚନ ପାଇଁ ପ୍ରସଙ୍ଗ ବିହୀନ ହୋଇ ପଡିଛନ୍ତି ଓ ଇଆଡୁ ସିଆଡୁ ଅନେକ କଥା କହୁଛନ୍ତି । ଗତ କିଛି ଦିନ ହେଲା ବିରୋଧୀ ଓଡ଼ିଆ ଅସ୍ମିତା କଥା କହି ଚାଲିଛନ୍ତି, ହେଲେ ସେମାନେ ଅସ୍ମିତାର ମାନେ ଠିକ୍ ଭାବେ ବୁଝି ନାହାନ୍ତି । କୌଣସି ଦେଶ ବା ରାଜ୍ୟର ଅସ୍ମିତା ମାନେ ରାଜ୍ୟ ଓ ଦେଶ ଉପରେ ମୁଁ ଗର୍ବିତ ନା ନୁହେଁ, ରାଜ୍ୟର ପ୍ରଦର୍ଶନ ଭଲ ନା ନୁହେଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଗତ ୨୪ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଦେଶ ବିଦେଶରେ ଓଡ଼ିଶାର ନାଁ ଆସିଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନ ଭାର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାକୁ ନେଇ ଅନେକ ଅପଯଶ ରହିଥିଲା । ଓଡିଶାକୁ ଏକ ବିମାର ରାଜ୍ୟ ବା ରୋଗିଣା ରାଜ୍ୟ ଭାବେ ଚିତ୍ରିତ କରାଯାଉଥିଲା । ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ସ୍ଥିତିରେ ଥିଲା । ବିପର୍ଯ୍ୟୟ ବା ଦୁର୍ବିପାକ ଓଡ଼ିଶାର ସ୍ଥିତିକୁ ଦୋହଲାଇ ଦେଉଥିଲା ଓ ଏହାକୁ ମୁକାବିଲା କରିବା ପାଇଁ ଓଡ଼ିଶାର ସାମର୍ଥ୍ୟ ନଥିଲା । ଏହା ବ୍ୟତୀତ ଓଡିଶା ଏକ ଖାଦ୍ୟ ଅଭାବୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା ବେଳେ ସମସ୍ତ ସୂଚକାଙ୍କ ଭିତରେ ରାଜ୍ୟର ସ୍ଥିତି ସବୁଠାରୁ ନିମ୍ନରେ ଥିଲା ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ, ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟରେ ଅନେକ ଉନ୍ନତି ହୋଇଛି । ଓଡିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଓଡିଶା ଏବେ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହେବା ସଙ୍ଗେ ଆମେ ଦ୍ୱିତୀୟ ଶକ୍ତି ବଳକା ରାଜ୍ୟ ହୋଇପାରିଛୁ ।

କ୍ରୀଡା କ୍ଷେତ୍ରରେ ଓଡିଶା ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ପାଇଛି ଓ ରାଜ୍ୟରେ ଦୁଇ ଦୁଇ ଥର ବିଶ୍ୱକପ ହକି ହୋଇଛି । ବିଶ୍ୱ ସ୍ତରୀୟ ସ୍ପୋର୍ଟ୍ସ ସେଣ୍ଟର ସମେତ ଅନେକ ବିଶ୍ୱ ସ୍ତରୀୟ କ୍ରୀଡା ଭିତ୍ତିଭୂମି ତିଆରି ହୋଇଛି । ଭୁବନେଶ୍ୱର ପୂର୍ବ ଭାରତର ଆଇଟି କ୍ୟାପିଟାଲ ଭାବେ ପରିଚୟ ସୃଷ୍ଟି କରିଛି । କୋଭିଡ ସମୟରେ ୧୭ଟି ରାଜ୍ୟକୁ ମାଗଣା ଅକ୍ସିଜେନ ପଠାଇ ମାନବିକତାର ଉଦାହରଣ ସୃଷ୍ଟି କରିଛି ।

ନବୀନ ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନା ଯଥା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ଜାଗା ମିଶନ, ୫-ଟି ରୂପାନ୍ତର ସ୍କୁଲ୍, ଦକ୍ଷତା ବିକାଶ, ଆଦିବାସୀ ସଂସ୍କୃତିର ସଂରକ୍ଷଣ, ମିଶନ ଶକ୍ତିରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ଇତ୍ୟାଦି ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ସଂତୃପ୍ତ ମିଶ୍ର କହିଛନ୍ତି ।

ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜଜ ସହ ଐତିହ୍ୟ ସଂରକ୍ଷଣରେ ଧାର୍ମିକ ସ୍ଥଳର ବିକାଶ ହୋଇପାରିଛି । ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ୮.୭ ପ୍ରତିଶତ ଥିଲା ବେଳେ ଓଡ଼ିଶାର ଅଭିବୃଦ୍ଧି ୧୧.୫ ପ୍ରତିଶତ ଥିଲା ତାହା ଏବେ ଏବେ ୧୨ ପ୍ରତିଶତରେ ପହଁଚିଛି । ମୁଣ୍ଡପିଛା ଋଣ କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ ରହିଛି । ମହାରାଷ୍ଟ୍ର ପରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ଦ୍ୱିତୀୟ ସ୍ଥାନରେ ରହିଛି । ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ କାମ କରୁଛନ୍ତି, ଓଡିଶା ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛି ଓ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି ।

Comments are closed.