Latest Odisha News

BREAKING NEWS

ମନ୍ତ୍ରୀ ଯାଇଥିଲେ ଭୋଟ୍ ପାଇଁ ପ୍ରଚାର କରି, ପିଇବା ପାଣି କଥା ଉଠାଇ ଘେରିଗଲେ ଗାଁ ଲୋକେ

ପୁରୀ: ନିର୍ବାଚନ ବେଳେ କୁହାଯାଏ ଜନତା ହେଉଛନ୍ତି ସବୁକିଛି। ବିଭିନ୍ନ ସମୟରେ ସମସ୍ୟା ଉପସ୍ଥାପନ କରିବା ଏବଂ ଭୋଟ୍ ବେଳେ ସମସ୍ୟା ଉଠାଇବାରେ ରହିଛି ତଫାତ। ଯାହାର ଫାଇଦା ନେଇ ଜନତା ଏବେ ତାଙ୍କ ନେତାଙ୍କୁ ମଧ୍ୟ ସମସ୍ଯାର ସମାଧାନ କାହିଁକି ହୋଇନି ବୋଲି ଅଭିଯୋଗ କରି ଜବାବ ଲୋଡୁଛନ୍ତି।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ପୁରୀ ଜିଲ୍ଲାର ଏକ ଗାଁରେ ପ୍ରଚାର କରୁଥିଲେ। ଏହି ସମୟରେ ଗ୍ରାମବାସୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। କାକଟପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ଗୋପ ବ୍ଲକ ଅନ୍ତର୍ଗତ ତରକୋରା ପଂଚାୟତରେ ପ୍ରଚାର ପାଇଁ ଯାଇଥିଲେ। ମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରିଯାଇଥିଲେ। ଆଉ ଗତ ୫ ବର୍ଷ ମଧ୍ୟରେ ଅଞ୍ଚଳର ବିକାଶ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତିରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ପ୍ରତିବାଦରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ପରିଡ଼ାଙ୍କ ସମର୍ଥକମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପରେ ମନ୍ତ୍ରୀଙ୍କୁ ଛାଡିବାକୁ ଉଦ୍ଯମ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭବିଷ୍ୟତରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ମନ୍ତ୍ରୀ କିମ୍ବା ବିଜେଡି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି କି ନିଜର ମନ୍ତବ୍ୟ ମଧ୍ୟ ପ୍ରକାଶ କରିନାହାନ୍ତି।

ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ଆସନ୍ତା ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

Comments are closed.