Latest Odisha News

BREAKING NEWS

ନବୀନଙ୍କ ସ୍ବାସ୍ଥ୍ୟ କିଏ କହୁଛି ସତ ?

ଭୁବନେଶ୍ବର: ୨୪ଘଣ୍ଟା ମଧ୍ୟରେ ଦୁଇଟି ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ। ଉଭୟ ଭିଡିଓରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ଦୁଇ ଭିଡିଓକୁ ନେଇ ତୁମ୍ବିତୋଫାନ କରିଛନ୍ତି ବିରୋଧୀ। ନବୀନଙ୍କ ଅସୁସ୍ଥତା ଘୋଡ଼ାଇବା ସହ ତାଙ୍କୁ ଅସମ୍ମାନ କରିବା ଅଭିଯୋଗ ନେଇ ତୀବ୍ର ହୋଇଛି ବିଜେପିର ସ୍ବର । ରାଜ୍ୟରୁ କେନ୍ଦ୍ର ବିଜେପି ନେତା ଏହି ପ୍ରସଙ୍ଗରେ ବର୍ଷିଛନ୍ତି । ଏପରିକି ନବୀନଙ୍କ ସ୍ବାସ୍ଥ୍ୟ ଖରାପ ହେବା ପଛରେ ଷଡ଼ଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ହାତ ଟାଣିନେଲେ ପାଣ୍ଡିଆନ
ମଙ୍ଗଳବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ନବୀନଙ୍କ ହାତ ଥରୁଥିଲା। ତେବେ ତାଙ୍କ ହାତକୁ ଟାଣି ନେଇଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ବର୍ଷିଥିଲେ ଆସାମ ମଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ । ସବୁ ଓଡିଆଙ୍କ ସ୍ବାଭିମାନ ତାଙ୍କ ସହ ଜଡିତ । ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ଅବସରପ୍ରାପ୍ତ କର୍ମଚାରୀ କବଜା କରିବା ଦୁଃଖର କଥା । ସମସ୍ତଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ଏଥିରେ ଲୁଚାଇବାରେ କଣ ଅଛି ବୋଲି ବିଶ୍ବଶର୍ମା କହିଥିଲେ । ତେବେ ଭିଡିଓ ଭାଇରାଲ୍ ହେବା ପରେ ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା କହିଛନ୍ତି ନବୀନ।

ନବୀନଙ୍କ ଖରାପ ସ୍ବାସ୍ଥ୍ୟ ପଛରେ ଷଡ଼ଯନ୍ତ୍ର !
ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପଛରେ ରହିଛି କି ଷଡ଼ଯନ୍ତ୍ର? ବାରିପଦାରେ ନିର୍ବାଚନୀ ସଭାରେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ବର୍ଷକ ଭିତରେ ତାଙ୍କର ସ୍ବାସ୍ଥ୍ୟର ଅନେକ ଅବନତି ହୋଇଛି । ନବୀନଙ୍କ ସ୍ବାସ୍ଥ୍ୟ ଖରାପ ହେବା ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି, ତାହା ଜାଣିବା ଅଧିକାର ରାଜ୍ୟବାସୀଙ୍କର ରହିଛି । ବିଜେପି ସରକାରକୁ ଆସିଲେ ସତ ସାମନାକୁ ଆସିବ ବୋଲି ମୋଦି କହିଛନ୍ତି । ସେପଟେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର ଚାଲିଥିବା ନବୀନ କହିଛନ୍ତି।

ନବୀନଙ୍କୁ ଗୋଡ଼ରେ ଖେଞ୍ଚିଲେ !
ବୁଧବାର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି । ଏକ ନିର୍ବାଚନୀ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ବେଳେ ତାଙ୍କ ଗୋଡ଼କୁ ନିଜ ଗୋଡରେ ଭିକେ ପାଣ୍ଡିଆନ ଠେଲି କିଛି ଇସାରା କରୁଥିବା ଅଭିଯୋଗ ହୋଇଛି । ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନକୁ କେବେବି ବରଦାସ୍ତ କରାଯିବନି ବୋଲି ରାଜ୍ୟ ବିଜେପି କହିଛି । ଓଡିଆ ସଂସ୍କୃତିରେ ଗୁରୁଜନଙ୍କ ଦେହରେ ଗୋଡ ବାଜିଲେ ବିଷ୍ଣୁ କରାଯାଏ । ତେବେ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ ଗୋଡ ମାରିବା ଦୁର୍ଭାଗ୍ୟଜନ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ସେପଟେ ସତ ସବୁବେଳେ ସତ । ଶୋଚନୀୟ ପରାଜୟ ଭୟରେ ଫେକ୍ ଭିଡିଓ ଧରି ଅପପ୍ରଚାର କରାଯାଉଥିବା ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡି ପକ୍ଷରୁ ସମାନ ସଭାର ଭିଡିଓ ବି ପୋଷ୍ଟ କରାଯାଇଛି । ସେଥିରେ ପାଣ୍ଡିଆନ୍ ଜୋତା କାଢୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

 

କିଏ ସେହି ଭୂମିପୂତ୍ର ?
ଭାଇରାଲ ଭିଡିଓର ତାତି କମିନଥିବା ବେଳେ ଭିକେ ପାଣ୍ଡିଆନଙ୍କ ଆଉ ଏକ ବୟାନ ରାଜନୈତିକ ତାତି ବଢାଇଛି। ଜୁନ୍ ୯ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ କରିବେ ଭୂମିପୁତ୍ର । କେବଳ ଭଲ ଓଡିଆ କୁହନ୍ତିନି ବରଂ ସବୁ ଓଡିଆଙ୍କ ହୃଦୟରେ ବାସ କରୁଥିବା ବ୍ୟକ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଜୁନ୍ ୯ତାରିଖ ଦିନ ସାଢେ ୧୧ଟାରୁ ଗୋଟାଏ ମଧ୍ୟରେ ମାଟିର ପୁଅ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କିଏ ସେହି ଭୂମିପୁତ୍ର ? ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି ପାଣ୍ଡିଆନ, ତାହାଲେ କାହିଁକି ତାଙ୍କର ନାଁ ନେଲେନି ? ନା ବିଜେଡିରୁ ଆଉ କେହି ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ? ପ୍ରଥମ ଥର ପାଇଁ ନବୀନଙ୍କ ନାଁ ନନେଇ ସସପେନ୍ସ ବଢାଇଛନ୍ତି ପାଣ୍ଡିଆନ ।

Comments are closed.