Latest Odisha News

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ଘଟଣା, ଅଂଶୁଘାତରେ ସମ୍ବଲପୁରରେ ୫ ଓ ରାଉରକେଲାରେ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ସେଥିମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ଅଂଶୁଘାତଜନିତ । ସମ୍ବଲପୁରରେ ୧୮ ଅସ୍ୱାଭାବିକ ମୃତ୍ୟୁ ଘଟଣା ମଧ୍ୟରୁ ୫ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ବେଳେ ରାଉରକେଲାରେ ୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ଏହି ତଥ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ, ରାଉରକେଲାରେ ମୋଟ ୩୫ ଜଣ ରୋଗୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କାରି ପୋଷ୍ଟ ମର୍ଟମ କରିବାକୁ ପ୍ରଶାସନ କହିଥିଲା। କିନ୍ତୁ ୪ ଜଣଙ୍କ ମୃତଦେହ ବିନା ପୋଷ୍ଟମର୍ଟମରେ ସେମାନଙ୍କ ପରିବାର ନେଇଯାଇଥିଲେ । ଏହାପରେ ୩୧ ଜଣଙ୍କର ବ୍ୟବଚ୍ଛେଦ ହୋଇଥିଲା । ସେଥିମଧ୍ୟରୁ ପାଖାପାଖି ୨୪ ଜଣଙ୍କ ବ୍ୟବଚ୍ଛେଦ ବର୍ତ୍ତମାନ ସରିଛି। ସେଥିରୁ ୬ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ । ଆଉ କିଛି ଲୋକ ହାର୍ଟଆଟାକ ଓ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି। ଅନ୍ୟ ଯେଉଁ ୧୦ରୁ ୧୫ ବଳକା କେସ ରହିଲା, ସେମାନଙ୍କ ରିପୋର୍ଟକୁ ଯାଞ୍ଚ କରାଯାଉଛି। ତହସିଲଦାର ଓ ମେଡିକାଲ୍‌ ଟିମ୍ ଦ୍ୱାରା ଯୁଗ୍ମ ତଦନ୍ତ ଚାଲିଛି ବୋଲି କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ।

ସେହିପରି ଗତ ମାସ ୨୯ରୁ ୧ ତାରିଖ ମଧ୍ୟରେ ସମ୍ବଲପୁରରେ ୧୮ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି । ସମସ୍ତ ମୃତଦେହର ବ୍ୟବଚ୍ଛେଦ ହୋଇଥିଲା । ସେଥିରୁ ୭ ଜଣଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ୫ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଛି । ଅବଶିଷ୍ଟ ୧୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ।

 

Comments are closed.