Latest Odisha News

ସେପଟେ କର୍ଫ୍ୟୁ, ଏପଟେ ମହଙ୍ଗା ମାଡ଼, ଆକାଶ ଛୁଆଁ ପରିବା ଦର

ଭୁବନେଶ୍ବର: ଅମଳ ସମୟରେ ଆକାଶଛୁଆଁ ପରିବା ଦର । ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ହୋଇଛି ଯେ, ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା କଷ୍ଟକର ହୋଇପଡିଲାଣି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି । ଯାହାକି ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ।

ତେବେ ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁ ପ୍ରଭାବରେ ପରିବା ଦର ଆକାଶ ଛୁଆଁ ହୋଇଛି ବୋଲି କୁହାଯାଉଛି। ସବୁ ପରିବା ଦର କିଲୋ ପ୍ରତି ପାଖାପାଖି ୧୦୦ ଟଙ୍କା । ଟମାଟୋ, ପିଆଜ ଦର ୧୦୦ ଉପରେ ଥିବା ବେଳେ କଲରା ୧୦୦, ପୋଟଳ ୮୦, ବାଇଗଣ ୧୦୦, ଝୁଡ଼ଙ୍ଗ ୮୦ ଟଙ୍କା ଛୁଇଁଛି ଦର ।

ସେହିପରି ଭୁବନେଶ୍ବରରେ ପିଆଜ ଦର ୧୦ ଟଙ୍କାକୁ ବୃଦ୍ଧି ହୋଇ ୪୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ୩୨ ଟଙ୍କାକୁ ବୃଦ୍ଧି ହୋଇଛି । ଯେଉଁ ପରିବା ୩୦, ୪୦ ରେ ବିକ୍ରି ହେଉଥିଲା ସପ୍ତାହ ମଧ୍ୟରେ ତାହାର ଦର ବଢି ୬୦, ୭୦ ଛୁଇଁଛି । ବଜାରରେ ବାଇଗଣ କିଲୋ ୫୦ ଟଙ୍କା, କଲରା କିଲୋ ୮୦, ପୋଟଳ ୫୦ ଛୁଇଁଥିବା ବେଳେ ପିଆଜ ଦର ୪୦ ଛୁଇଁଛି ।

ସୂଚନା ଅନୁସାରେ, ଗତ ସୋମବାର ସକାଳେ ବାଲେଶ୍ୱର ସଦର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ୧୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ।

ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ସେପଟେ ବାଲେଶ୍ୱର ସହରରେ ଇଣ୍ଟରନେଟ ସେବା ମଧ୍ଯ ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

Comments are closed.