Latest Odisha News

BREAKING NEWS

ଦୀର୍ଘ ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ୨ କୁମକୀ ହାତୀ ରାଜକୁମାର ଓ ମହେନ୍ଦ୍ର

ବାରିପଦା: ୫ ବର୍ଷ ପରେ ଶିମିଳିପାଳକୁ ଫେରିଲେ ରାଜକୁମାର ଓ ମହେନ୍ଦ୍ର । ୨ଟି ଟ୍ରକ୍‌ ଯୋଗେ ସାତକୋଶିଆରୁ ଏହି ଦୁଇ ହାତୀଙ୍କୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଛି । ସେମାନଙ୍କୁ କେଣ୍ଡୁମୁଣ୍ଡିରେ ରଖାଯିବ। ଏଠାରେ କିଛିଦିନ ନିରୀକ୍ଷଣରେ ରହିବା ପରେ ହାତୀ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା ପାଇଁ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।

ସୂଚନା ଅନୁସାରେ, ୨୦୧୯ ଜାନୁଆରୀ‌ରେ ବାଘ ସୁନ୍ଦରୀ ଉପରେ ନଜର ରଖିବା ପାଇଁ ଏହି ହାତୀ ଦୁଇଟିକୁ ସାତକୋଶିଆ ନିଆଯାଇଥିଲା। ଏହି ଦୁଇ ହାତୀ ପିଠିରେ ବସି ବନ ବିଭାଗ ସୁନ୍ଦରୀର ଗତିପଥ ଉପରେ ନଜର ରଖୁଥିଲା। କିନ୍ତୁ ଘଟଣାକ୍ରମେ ସୁନ୍ଦରୀର ମୃତ୍ୟୁ ହୋଇଯିବା ପରେ ମଧ୍ୟ ମହେନ୍ଦ୍ର ଓ ରାଜକୁମାରକୁ ଫେରାଇ ଅଣାଯାଇନଥିଲା। ଦୀର୍ଘ ୫ ବର୍ଷ ଧରି ଏହି ହାତୀ ଦୁଇଟି ସେଠାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ଥିଲେ। ଦୁଇ ହାତୀଙ୍କୁ ଫେରାଇ ଆଣିବାକୁ ବାରମ୍ବାର ଦାବି କରାଯାଇଥିଲା । ଶେଷରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଦୁଇଟି ଟ୍ରକରେ ମହେନ୍ଦ୍ର ଓ ରାଜକୁମାରକୁ ଶିମିଳିପାଳ ଅଣାଯାଇଛି।

Comments are closed.