Latest Odisha News

BREAKING NEWS

କେନ୍ଦୁଝରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ: ବିଜେଡିକୁ କଲେ ଟାର୍ଗେଟ୍, କହିଲେ କାହାକୁ ବି ଛଡାଯିବ ନାହିଁ

ଭୁବନେଶ୍ୱର: ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ବିଭିନ୍ନ ଉନ୍ନତି ଦିଗରେ ଧ୍ୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମ ମାଟି କେନ୍ଦୁଝରକୁ ଯାଇଥିବା ମୋହନ ମାଝୀ ପୂର୍ବତନ ସରକାର ଉପରେ ବର୍ଷିଛନ୍ତି। କେନ୍ଦୁଝରର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ରାଜ୍ୟରେ ୨୪ ବର୍ଷ ହେଲା ପୂର୍ବରୁ କ୍ଷମତାରେ ରହିଥିବା ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ପୂର୍ବ ସରକାରରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ମୋହନ ମାଝୀ କହିଛନ୍ତି।

ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଏକ ସାଧାରଣ ଗରିବ ଆଦିବାସୀ ଘରର ପୁଅ । ଲୋକଙ୍କ ମୁଖ୍ୟମନ୍ତ୍ରୀ, ନିଶ୍ଚୟ କାମ କରି ଦେଖାଇବି। ସେ କହିଥିଲେ ଯେ ଶପଥ ନେବାର ମାତ୍ର ଦୁଇ ଘଣ୍ଟା ଭିତରେ ଆମେ କ୍ୟାବିନେଟ୍ ବସାଇ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଲୁ।

ସେହିପରି ମୋଦୀ ସରକାର ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା କରିବା ପରେ ଆମେ ଆଉ ୮୦୦ ଟଙ୍କା ଦେଇ ଚାଷୀଙ୍କୁ ୩୧୦୦ ଟଙ୍କା ଦେବୁ ବୋଲି ସେ କହିଥିଲେ। କେନ୍ଦୁଝର ଜିଲ୍ଲା ବାସୀଙ୍କ ପ୍ରଶଂସା କରି ସେ କହିଲେ ଯେ କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ । ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ।

କେନ୍ଦୁଝରର ଖଣିକୁ ଲୁଟ କରାଯାଇଛି। ଖଣି ଲୁଟେରା ମାନେ ଜେଲ୍ ଯିବେ। ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ହେବ ସୁନାର କେନ୍ଦୁଝର। କେନ୍ଦୁଝରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କା ଅଛି। ସମସ୍ତେ ମିଶି କେନ୍ଦୁଝରକୁ ଏକ ନମ୍ବର କରିବା ବୋଲି ସେ କହିଛନ୍ତି।

ନବୀନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ବୋଲି ପ୍ରଚାର କରାଯାଉଥିଲା । କିନ୍ତୁ ସେଇ ସରକାର ସମୟରେ ଓଡ଼ିଶା କାହିଁକି ୨୮ ନମ୍ବର କିମ୍ବା ୩୦ ନମ୍ବର ରାଜ୍ୟ ଥିଲା ବୋଲି ମୋହନ ମାଝୀ ଟାର୍ଗେଟ୍ କରିଛନ୍ତି । ତାରିଣୀ ଦର୍ଶନ କରିବା ପରେ ମୋହନ ମାଝି ଆଜି କେନ୍ଦୁଝରରେ ରୋଡ ଶୋ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।

Comments are closed.