Latest Odisha News

ସୁୁପ୍ରିମକୋର୍ଟଙ୍କ ଏହି ୪ଟି ଗୁରୁତ୍ୱପୂର୍ଣ୍ଣ ରାୟକୁ ଅପେକ୍ଷା; କ’ଣ ଏହି ମାମଲା ଜାଣନ୍ତୁ…

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁସବୁ ରାୟ ସୁପ୍ରିମକୋର୍ଟ ପ୍ରକାଶ କରିବେ ସେଥିମଧ୍ୟରେ ୪ଟି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ରହିଛି ।

ଓସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ ମାମଲାକୁ ଏକ ଖଣ୍ଡପୀଠ ଶୁଣାଣୀ କରିଛନ୍ତି, ମାତ୍ର ଏହାର ରାୟ ସ୍ଥଗିତ ରହିଛି । ଆଗାମୀ ୧୦ ଦିନ ମଧ୍ୟରେ ଏହାର ଐତିହାସିକ ରାୟ ପ୍ରକାଶିତ ହୋଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । ଏହି ମାମଲାର ଶୁଣାଣୀ ହୋଇ ରାୟକୁ ସଂରକ୍ଷିତ ରଖାଯାଇଛି । ଏହି ମାମଲା ଏକ ସମ୍ବେଦନଶୀଳ ମାମଲା । ଦେଶର ହିନ୍ଦୁ ଓ ମୁସଲମାନ ସମ୍ପଦାୟ ମଧ୍ୟରେ ଯେପରି ବିଭେଦ ସୃଷ୍ଟି ନ’ହୁଏ ତାହା ପ୍ରତି ସରକାର ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି ।

ସେହିପରି ପ୍ରତିରକ୍ଷା ବିଭାଗର ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧବିମାନ କ୍ରୟରେ ଅର୍ଥ ହେରଫେର ନେଇ ରହିଥିବା ମାମଲାର ଚୂଡ଼ାନ୍ତ ଶୁଣାଣୀକୁ ମଧ୍ୟ ସୁପ୍ରିମକୋର୍ଟ ଧ୍ୟାନ ଦେଉଛନ୍ତି । ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି କେନ୍ଦ୍ରସରକାରଙ୍କୁ କ୍ଲିନ୍ ଚିଟ୍ ଦେବାର ସମ୍ଭାବନା ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଅନ୍ୟ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମକୋର୍ଟ ପ୍ରକାଶ କରିବେ ସେଥିମଧ୍ୟରେ ରହିଛି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଏବଂ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସୂଚନା ଅଧିକାର ପରିସରକୁ ଆଣିବା ନେଇ ରାୟ ।

Comments are closed.