Latest Odisha News

ଖୋଲୁଛି ବାବାଙ୍କ ଗୁମର, ଆଶ୍ରମରେ ପଞ୍ଚତାରକା ବ୍ୟବସ୍ଥା ସହିତ ୧୦୦ କୋଟିର ମାଲିକ

ହାଥରସ: ହାଥରସ ଦଳଚକଟା ଦୁର୍ଘଟଣାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ଅନେକ ଚିକିତ୍ସାଧୀନ । ଭଣ୍ଡ ବାବାଙ୍କ ଅନୁଗାମୀ ହେବା ହେଲା କାଳ । ସେପଟେ ଧୀରେ ଧୀରେ ଖୋଲୁଛି ଭଣ୍ଡ ଆତ୍ମଘୋଷିତ ବାବାଙ୍କ ଗୁମର । ବିଭିନ୍ନ ସ୍ଥାନରେ ବିଳାସପୂର୍ଣ୍ଣ ଆଶ୍ରମ । ଆଶ୍ରମ ନୁହେଁ ତ ପଞ୍ଚତାରକା ହୋଟେଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାଞ୍ଚ ପରେ ଏମିତି କିଛି ବଡ ତଥ୍ୟ ବାବାଙ୍କ ସମ୍ପତ୍ତି ନେଇ ଆସିଛି । ତେବେ ସବୁଠୁ ବଡ କଥା ହେଉଛି କେବେ ଦାନ ଗ୍ରହଣ କରୁନଥିବା ଦାବି କରିଆସୁଥିବା ଭୋଲେ ବାବାଙ୍କ ସମ୍ପତ୍ତି ୧୦୦ କୋଟିର ବୋଲି ରିପୋର୍ଟରେ ଦାବି କରାଯାଇଛି ।

ହାଥରସ ଦୁର୍ଘଟଣା ପରେ ବିବାଦୀୟ ଭୋଲେ ବାବାଙ୍କ ବିଷୟରେ ଖୋଳତାଳ କରୁଛି ଉତ୍ତରପ୍ରଦେଶ ପୋଲିସ୍ । ପୋଲିସର ଯାଞ୍ଚ ପରେ ଧିରେ ଧିରେ ବାବାଙ୍କ କେଳେଙ୍କାରୀ ଉପରୁ ପରଦା ହଟୁଛି ।

ପୋଲିସର ତଥ୍ୟ ଓ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାବାଙ୍କର ପ୍ରାୟ ସମ୍ପତ୍ତି ୧୦୦ କୋଟିର ବୋଲି ଆକଳନ କରାଯାଉଛି । ଏହାସହିତ ପଶ୍ଚିମ ୟୁପି ସମେତ ଉତ୍ତରପ୍ରଦେଶ ରାଜ୍ୟରେ ତାଙ୍କର ୨୪ଟି ଆଶ୍ରମ ରହିଛି। ଏହି ଆଶ୍ରମମାନଙ୍କରେ ତାଙ୍କର ସୁରକ୍ଷା ପାଇଁ  ୮୦ ସେନା ବି ରହିଛନ୍ତି । ଖାଲି ସେତିକି ନୁହେଁ  ଭୋଲେ ବାବାଙ୍କ ସମସ୍ତ ଆଶ୍ରମ ଯେତିକି ବିଳାସପୂର୍ଣ୍ଣ ତାହା କୌଣସି ପଞ୍ଚତାରକା ହୋଟେଲ ଠାରୁ କମ୍ ନୁହଁ । ସବୁଠି ବଡ ବଡ କୋଠା, ଏଥିରେ ଆଲିସାନ୍ କାରୁକାର୍ଯ୍ୟ ସହିତ ସମସ୍ତ ଆଧୁନିକ ବ୍ୟବସ୍ଥା ଏହି ଠାରେ ରହିଛି ।  ତେବେ ସବୁଠୁ ବଡ କଥା ହେଉଛି ଏହି ଆତ୍ମଘୋଷିତ ବାବା ଜଣଙ୍କ ସବୁବେଳେ ଦାବି କରିଆସିଛନ୍ତି, ସେ ଦାନରେ ଗୋଟିଏ ପଇସା ବି ନିଅନ୍ତି ନାହିଁ। ତା ସତ୍ତ୍ବେ ବି ତାଙ୍କର ଏତେ ସମ୍ପତ୍ତି ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏଥି ସହିତ କିଛି ରାଜନୈତିକ ଲିଙ୍କ ମଧ୍ୟ ଏଥିରେ ଥାଇପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି ।

ତେବେ ସବୁ ଆଶ୍ରମ ମଧ୍ୟରୁ ବେଶୀ ଚର୍ଚ୍ଚାରେ ରହିଛି କାନପୁର ଓ ମୈନପୁରୀରେ ଭୋଲେ ବାବାଙ୍କର ଥିବା ବିଳାସପୂର୍ଣ୍ଣ ଆଶ୍ରମ । ମୈନପୁରୀରେ ଥିବା ପ୍ରାୟ ୨୧ ବିଘା (ପ୍ରାୟ ୭ ଏକର) ପରିମିତ ଅଞ୍ଚଳରେ ବିସ୍ତାରିତ ଆଶ୍ରମରେ ଭୋଲେ ବାବା ଓ ତାଙ୍କ ପତ୍ନୀଙ୍କ ପାଇଁ ୬ଟା ପ୍ରକୋଷ୍ଠ ରଖାଯାଇଛି । ଏହି ଆଶ୍ରମରେ ୮୦ ଜଣ ସେବାୟତଙ୍କୁ ନେଇ ଏକ ସେନା ମୁତୟନ କରାଯାଇଛି। ସେମାନେ ଆଶ୍ରମର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ତା ଉପରେ ପୁଣି ବାବାଙ୍କ ପାଖରେ ୨୪ରୁ ୩୦ଟି ବିଳାସପୂର୍ଣ୍ଣ କାର୍ ରହିଛି। ବାବା ନିଜେ ଏକ ଫର୍ଚୁନରରେ ଯିବା ଆସିବା କରନ୍ତି। ମୈନପୁରୀର ବିଛୁଆ ଆଶ୍ରମ ୩ ବର୍ଷ ତଳେ ନିର୍ମିତ ହୋଇଥିଲା। ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ୨୧ ବିଘା ଜମିରେ ଏହି ଆଶ୍ରମ ନିର୍ମିତ ହୋଇଛି। ମୈନପୁରୀ ଆଶ୍ରମ ସିଧାସଳଖ ବାବାଙ୍କ ନାମରେ ନାହିଁ। ରାମକୁଟୀର ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏଥିପାଇଁ ୨୦୦ ଲୋକ ଦାନ ଦେଇଛନ୍ତି। ଏହି ଦାତାମାନେ ସର୍ବାଧିକ ୨.୫ ଲକ୍ଷ ଟଙ୍କା ଏବଂ ସର୍ବନିମ୍ନ ୧୦,୦୦୦ ଟଙ୍କା ଦାନ ଦେଇଥିବା ଉଲ୍ଲେଖ ରହିଛି।

ସେହିପରି କାନପୁରରେ ମଧ୍ୟ ରହିଛି ଏକ ଆଲିସାନ୍ ଆଶ୍ରମ । କାନପୁରର ବିଧନୁ ଅଞ୍ଚଳର କସୁଇ ଗାଁରେ ୬ ବିଘା ଜମିରେ ଏକ ଆଶ୍ରମ ନିର୍ମାଣ କରାଯାଇଛି। ଏହି ଆଶ୍ରମ କାନପୁର ସହରର ପ୍ରାୟ ୨୫ କିଲେମାମିଟର ପର୍ଯ୍ୟନ୍ତ ବ୍ୟାପିଛି । ଆଶ୍ରମରେ ବିରାଟ କାୟ ଗେଟ୍ ଲାଗିଥିବା ବେଳେ ତିନୋଟି ଡୋମ୍ ଆକାର ରହିଛି ଯାହା ବାରଣାସୀର କାଶୀବିଶ୍ବନାଥ ମନ୍ଦିରର ପ୍ରତିକୃତି ଭଳି ଦୃଶ୍ୟମାନ ହେଉଛି । ଏହି ଆଶ୍ରମ ମଧ୍ୟରେ ଏକ ବଡ ଗୋଶାଳା ମଧ୍ୟ ରହିଛି । ତେବେ ଆଶ୍ରମରେ ହୋଇଥିବା ବ୍ୟବସ୍ଥା କୌଣସି ପଞ୍ଚତାରଖା ହୋଟେଲ ବ୍ରବସ୍ଥା ଠାରୁ କମ୍ ନୁହେଁ । ଏଥିରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହା ସହିତ ଏହି ଆଶ୍ରମ ମଝିରେ ଏକ ଅତ୍ୟନ୍ତ ବିଳାସପୂର୍ଣ୍ଣ ସତସଙ୍ଗ ଭବନ ରହିଛି ।  ସେହିପରି ଇଟାଵାରେ ୧୫ ବିଘା ଜମିରେ ଆଶ୍ରମ ରହିଛି। ସରାଇ ଭୂପତର କେଟ୍ ଖେରା ଗ୍ରାମରେ ବାବାଙ୍କ ଆଶ୍ରମ ଅଛି। ନଏଡାର ସେକ୍ଟର-୮୭ ଇଲାବାନ୍ସ ଗାଁରେ ବାବାଙ୍କର ଏକ ବିଳାସପୂର୍ଣ୍ଣ ଆଶ୍ରମ ରହିଛି। କାସଗଞ୍ଜର ବାହାଦୁରନଗରର ପଟିଆଲି ଗାଁରେ ବାବାଙ୍କର ଏକ ଭବ୍ୟ ଆଶ୍ରମ ରହିଛି। ଏହା ବାବାଙ୍କ ପୈତୃକ ଗାଁ। ଏଠାରୁ ହିଁ ବାବାଙ୍କ ସାମ୍ରାଜ୍ୟର ଆରମ୍ଭ ହୋଇଥିଲା।

Comments are closed.