Latest Odisha News

ଜମ୍ମୁ କଶ୍ମୀର: ୨ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଦକ୍ଷିଣ କଶ୍ମୀର ଜିଲ୍ଲାରେ ଥିବା ମୋଡରଗାମ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଘଟଣା ଘଟିଛି।

ସୁରକ୍ଷାବାହିନୀ ନିଜ ଦାୟିତ୍ୱ ତୁଲାଉଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଗୁଳି ବିନିମୟ ହୋଇଥିଲା। ଏହି ବିନିମୟ ସମୟରେ ଭାରତୀୟ ସେନାର ଜଣେ ଯବାନ ଗୁରୁତର ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

କଶ୍ମୀର ଜୋନ୍ ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛି, କୁଲଗାମ ଜିଲ୍ଲାର ମୋଡରଗାମ ଗାଁରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୁଲିସ ଓ ସୁରକ୍ଷା ବାହିନୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପରବର୍ତ୍ତୀ ସମୟରେ ଅଧିକ ସୂଚନା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଜମ୍ମୁ ଓ କଶ୍ମୀରର ଡୋଡା ଜିଲ୍ଲାର ଗଣ୍ଡୋହ, ଭଦ୍ରୱାହ ସେକ୍ଟରରେ ଜୁନ୍ ମାସରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଜମ୍ମୁ ଏଡିଜିପି ଆନନ୍ଦ ଜୈନ କହିଛନ୍ତି।

Comments are closed.