Latest Odisha News

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ପୁଣି ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ଚାଲିପାରୁନି ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବି । ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଲେ ବାଚସ୍ପତି ସୁରମା ପାଢୀ ।

ଗୁରୁବାର ବିଧାନସଭାର ୪ର୍ଥ ଦିବସ ହୋଇଥିବା ବେଳେ ପ୍ରଥମରୁ ପ୍ରଶ୍ନକାଳ ବେଶ୍ ସୁରୁଖୁରୁରେ ଚାଲିଥିଲା । ହେଲେ ପୁଣି ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ଆରମ୍ଭ । ପ୍ରଥମେ ପଏଣ୍ଟ ଅଫ୍‌ ଅର୍ଡର ମାଗିଥିଲା ବିରୋଧୀ ବିଜେଡି । ବିରୋଧୀଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିଂରୁ ହଟାଇବା ଦାବି କରିଥିଲା । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ଖାଲି ସେତିକି ନୁହେଁ ରିପୋର୍ଟର ଟେବୁଲ ଉପରେ ଚଢ଼ିଯାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଏହାପରେ ବାଚସ୍ପତିଙ୍କ ମାଇକ୍‌ ଉପାଡ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ନେତା ତାରା ବାହିନୀପତି । ଯାହାପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

ତେବେ ପୂର୍ବରୁ ମଧ୍ୟ ତିନି ଦିନ ହେଲା ଗୃହରେ ସେହି ସମାନ ପରିସ୍ଥିତି । ବିରୋଧୀଙ୍କ ବିରୋଧ ଯୋଗୁଁ ଚାଲିପାରୁନାହିଁ ଗୃହ । ତେବେ ଗୃହ ନଚାଲିବା ଯୋଗୁଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଉପାରୁନାହିଁ । ଯେଉଁ କାରଣରୁ ଲଗାତାର ତୃତୀୟ ଦିନର ହଟ୍ଟଗୋଳ ପରେ ବାଚସ୍ପତି ବୁଧବାର ପୁନଶ୍ବ ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ । ଯାହା ପରେ ଆଜି ଗୃହର ମାହୋଲରେ ସୁଧାର ଆସିବା ଆଶା କରାଯାଉଥିବା ବେଳେ ଗୃହ ଆରମ୍ଭରୁ ପ୍ରଶକାଳ ବେଶ୍ ସୁରୁଖୁରୁରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ହେଲେ ବିରୋଧୀ ପଏଣ୍ଟ ଅଫ ଅର୍ଡର ମାଗିବାରୁ ଆରମ୍ଭ ହୋଇଥିଲା ହଟ୍ଟଗୋଳ ।

Comments are closed.