Latest Odisha News

BREAKING NEWS

କାହିଁକି ସସପେଣ୍ଡ ହେଲେ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ?

ଭୁବନେଶ୍ବର: ମହଙ୍ଗା ପଡିଲା ପ୍ରେମ ନିବେଦନ ! ନିଲମ୍ବିତ ହେଲେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ତାଙ୍କ ଉପରେ ବଡ ଆକ୍ସନ୍ ନିଆଯାଇଛି । ଦିଲ୍ଲୀ ନୀତି ଆୟୋଗ ବୈଠକରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଇପିଏସ ଅଫିସରଙ୍କ ବିରୋଧରେ ମହିଳା ପୋଲିସ ଇନସପେକ୍ଟରଙ୍କ ଘରେ ପଶି ଗଣ୍ଡଗୋଳ କରିବା ସହ ତାଙ୍କ ସ୍ବାମୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।

ଆଇପିଏସ୍ ସସପେଣ୍ଡ

ଗତ ଶନିବାର ରାତିରେ ବରିଷ୍ଠ ପୋଲିସ ଅଧିକାରୀ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓ ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ହୋଇଥିଲା। ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ। ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ହେବା ସମୟରେ ସେ ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ । ପୋଲିସ ଡିଜିଙ୍କ ବିନା ଅନୁମତିରେ ରାଜେଶ ପଣ୍ଡିତ ହେଡକ୍ବାର୍ଟର୍ସ ଛାଡି ଯାଇପାରିବେନି ।

କାହିଁକି ସସପେଣ୍ଡ ହେଲେ ରାଜେଶ ପଣ୍ଡିତ?

ଗତ ୨୭ତାରିଖ ରାତିରେ କ୍ୟାପିଟାଲ ଥାନା ଅଞ୍ଚଳରେ ଆଇପିଏସ୍ ରାଜେଶ ପଣ୍ଡିତ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ କ୍ବାର୍ଟର୍ସକୁ ଯାଇ ତାଙ୍କୁ ବିବାହ କରିବାକୁ ସେ ଜିଦ୍ କରିଥିବା ଚର୍ଚ୍ଚା ହେଉଛି । ଏପରିକି ମହିଳା ପୋଲିସ ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଅଟକାଇବାରୁ ତାଙ୍କ ସ୍ବାମୀଙ୍କୁ ବି ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିବା କୁହାଯାଉଛି ।

ପୂର୍ବରୁ ଜାଣିଥିଲେ ରାଜେଶ ପଣ୍ଡିତ

ଆଇପିଏସ୍ ରାଜେଶ ପଣ୍ଡିତ ୨୦୧୮ ମସିହାରେ ୬ମାସ ଧରି କ୍ରାଇମବ୍ରାଞ୍ଚରେ କାମ କରିଥିଲେ । ସେତେବେଳେ ସେଠାରେ କାର୍ଯ୍ୟରତ ଥିବା ମହିଳା ଇନସପେକ୍ଟରଙ୍କ ସହ ତାଙ୍କର ଚିହ୍ନା ଜଣା ହୋଇଥିଲା। ରାଜେଶ ପଣ୍ଡିତ ଆମେରିକାରେ ପ୍ରାୟ ବର୍ଷେ ପ୍ରଶିକ୍ଷଣ ନେଇ ଚଳିତ ମାସ ଭୁବନେଶ୍ବର ଫେରିଛନ୍ତି । ୨୭ତାରିଖରେ ସେ ପ୍ରେମ ନିବେଦନ କରି ହଙ୍ଗାମା କରିଥିବା ଅଭିଯୋଗ ହୋଇଛି ।

ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

କ୍ୟାପିଟାଲ ଥାନା ଅଞ୍ଚଳରେ ଆଇପିଏସ୍ ରାଜେଶ ପଣ୍ଡିତଙ୍କ ହଙ୍ଗାମା ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ଜୟନ୍ତ ଦାସ । ବରିଷ୍ଠ ପୋଲିସ ଅଧିକାରୀ ଜଣେ ବିବାହିତା ମହିଳା ଇନ୍ସପେକ୍ଟରଙ୍କ ଘରେ ଜୋରଜବରଦସ୍ତ ପଶି ତାଙ୍କୁ ବିବାହ କରିବାକୁ କହିଥିଲେ । ମହିଳାଙ୍କ ସ୍ବାମୀ ତାଙ୍କୁ ଛଡାଇବାରୁ ରାଜେଶ ପଣ୍ଡିତ ତାଙ୍କୁ ମାରପିଟ କରିଥିଲେ । ଏହାପରେ କ୍ୟାପିଟାଲ ଥାନା ଆଇଆଇସି ଓ ଏସିପି ଘଟଣାସ୍ଥଳରେ ପହଞ୍ଚି ମହିଳା ଇନସପେକ୍ଟରଙ୍କ ସ୍ବାମୀଙ୍କୁ ଉଦ୍ଧାର କରିଥିଲେ । ସେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମହିଳାଙ୍କ ସ୍ବାମୀ ରାଜେଶ ପଣ୍ଡିତଙ୍କ ବିରୋଧରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ବି ତାଙ୍କୁ ଧମକ ଦିଆଯାଉଥିବା ଜୟନ୍ତ ଦାସ ଅଭିଯୋଗପତ୍ରରେ ଲେଖିଛନ୍ତି । ତେବେ ଘଟଣା ନେଇ ରାଜେଶ ପଣ୍ଡିତ, ମହିଳା ଇନସପେକ୍ଟର କିମ୍ବା ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ମହିଳା ପୋଲିସ ଅଧିକାରୀଙ୍କ ଘରେ ଆଇପିଏସ୍ ରାଜେଶ ପଣ୍ଡିତଙ୍କ ହଙ୍ଗାମା ଛାଡିଯାଇଛି ଅନେକ ପ୍ରଶ୍ନ । ରାଜଧାନୀରେ ସରକାରୀ କ୍ବାର୍ଟର୍ସରେ ମହିଳା ଇନସପେକ୍ଟର ସୁରକ୍ଷିତ ନୁହନ୍ତି କି ? ଯଦି ନିଜେ ପୋଲିସ ଅଧିକାରୀ ସୁରକ୍ଷିତ ନୁହନ୍ତି ଅନ୍ୟ ମହିଳା କେମିତି ସୁରକ୍ଷିତ ରହିବେ ? ନିଲମ୍ବିତ ହେବା ପରେ ବି ତଦନ୍ତକୁ ପ୍ରଭାବିତ କରିବେ କି ରାଜେଶ ପଣ୍ଡିତ? ଘଟଣାରେ ନିରପେକ୍ଷ ତଦନ୍ତ ହେବ ତ ? ନା ଅନ୍ୟ ଘଟଣା ପରି ବାଟବଣା ହେବ ତଦନ୍ତ? ଘଟଣା ତଦନ୍ତ, ତ୍ବରିତ ଓ ନିରପେକ୍ଷ କରିବା ପାଇଁ ଦାବି ହେଉଛି ।

Comments are closed.