Latest Odisha News

ୱାଏନାଡରେ ଭୂସ୍ଖଳନ; ୨୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ

ୱାଏନାଡ଼: କେରଳ ଜଳପ୍ରଳୟରେ ୨୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା। ଏବେ ବି ମାଟି ଅତଡ଼ା ତଳେ ଫସିଛନ୍ତି ୨୨୭ ଜଣ। ୨୦୦ରୁ ଅଧିକ ଆହତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନରେ ଅଛନ୍ତି। ୧୫୯୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି। ୱାୟନାଡର ମୁଣ୍ଡାକ୍କାଇ ଓ ଚୋରାରମାଲାରେ ଭୂସ୍ଖଳନ ପରେ ନଦୀ ଜଳ ଗାଁ ଭିତରେ ପଶି ମୃତ୍ୟୁର ତାଣ୍ଡବ ରଚିଛି।

ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ଯବାନଙ୍କ ଠାରୁ ଆରମ୍ଭ କରି ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି। ସମସ୍ତେ ମାଟି ଓ ପଙ୍କ ତଳୁ ଜୀବନ ସନ୍ଧାନରେ ଲାଗିଛନ୍ତି। ପ୍ରବଳ ବର୍ଷାରେ ବି ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଉଛି।
ସେହିପରି ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଥିବା ଗାଁ ଗୁଡ଼ିକରୁ ଅତିରିକ୍ତ ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ୭ଟି କ୍ୟାମ୍ପରେ ରଖାଯାଇଛି। ୨୦୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୧ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ମୋଟ ଉପରେ ୮୦୧୭ ଜଣ ଲୋକ ଏବେ ୮୨ଟି ରିଲିଫ କ୍ୟାମ୍ପରେ ରହିଛନ୍ତି।

ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪୪ଟି ମୃତଦେହ ମିଳିଛି। ଏମାନଙ୍କ ମଧ୍ୟରେ ୭୯ ଜଣ ପୁରୁଷ ଓ ୬୪ ଜଣ ମହିଳା ରହିଛନ୍ତି। ସେହିପରି ୧୯୧ ଜଣ ନିଖୋଜ ଥିବା ରିପୋର୍ଟରୁ ଜଣାପଡ଼ିଛି। ମାଟି ତଳେ ବଞ୍ଚି ରହିଥିବା ଲୋକଙ୍କୁ ଠାବ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନିଆଯାଇଛି।

 

Comments are closed.