Latest Odisha News

ବିଜେଡିକୁ ‘ମମତା’ ଛନକା !

ଭୁବନେଶ୍ଵର: ବିଜେଡିରେ ମମତା କମ୍ପନ। କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ । ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ ଆକଳନ କଲେଣି ରାଜନୈତିକ ବିଶେଷଜ୍ଞ । ତେଣୁ ବିଜେଡିକୁ ଏକଜୁଟ୍ କରି ରଖିବା ହିଁ ଏବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ମମତାଙ୍କ ଇସ୍ତଫା ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି ନବୀନ । ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ନେତାଙ୍କ ସହ କରିଛନ୍ତି ଆଲୋଚନା ।

ମମତା ଯିବା ପରେ ଚେତିଲେ !

ନିର୍ବାଚନ ପୂର୍ବରୁ ହିଁ ବିଜେଡି ନେତା ଭିକେ ପାଣ୍ଡିଆନ ଘୋଡା ବେପାର ଓ ଅପରେସନ୍ ଲୋଟସ ନେଇ ଆଶଙ୍କା ପ୍ରକାଶ କରିଥିଲେ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଏହି ଆଶଙ୍କା ଆହୁରି ବଢିଲା। ଦଳ ଭିତରେ ପାଣ୍ଡିଆନ ବିରୋଧୀ ସ୍ବର ତେଜିଲା । ଯଦିଓ ନବୀନ ସେତେବେଳେ ବି ନେତାଙ୍କୁ ଭେଟି ଆଲୋଚନା କରୁଥିଲେ । ତେବେ କେଉଁଠି ନା କେଉଁଠି ନେତାଙ୍କ ଭରସା ଜିତିପାରିଲେନି । ଯାହାର ଫଳ ହେଲା ମମତା ମହନ୍ତଙ୍କ ଭଳି ସାଂସଦ ଅପ୍ରତ୍ୟାଶିତ ଭାବେ ଦଳ ଓ ସାଂସଦ ପଦ ଛାଡିଲେ। ରାଜ୍ୟସଭା ଗଣିତ ହିସାବରେ ଆହୁରି କିଛି ବିଜେଡି ସାଂସଦଙ୍କୁ ନିଜ ପଟକୁ ନେଇପାରେ ବିଜେପି । ତେଣୁ ନବୀନ ନେତାଙ୍କୁ ଡାକି ଏକଜୁଟ୍ ହୋଇ ରହିବାକୁ କହୁଥିବା ଚର୍ଚ୍ଚା ହେଉଛି । ମୟୂରଭଞ୍ଜ ଓ ଗଞ୍ଜାମ ଅଧିକ ବିଧାନସଭା ଆସନ ଥିବା ଦୁଇ ବଡ ଜିଲ୍ଲା ହୋଇଥିବା ବେଳେ ଉଭୟ ଜିଲ୍ଲାରେ ଭଲ ପ୍ରଦର୍ଶନ କରିପାରିନି ବିଜେଡି । ତେଣୁ ପ୍ରଥମେ ଏହି ଦୁଇ ଜିଲ୍ଲାକୁ ନବୀନ ଫୋକସ କରିଛନ୍ତି ।

ମମତା ଗଲେ ଆସିଲେନି ମାରାଣ୍ଡି

କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇ ୨୦୨୦ରେ ମୟୂରଭଞ୍ଜରେ ବିଜେଡିକୁ ମଜଭୂତ କରିବାକୁ ଗୋଟି ଚଳାଇଥିଲେ ନବୀନ । ଏବେ ଅଣଦେଖା ଅଭିଯୋଗ କରି ମମତା ଦଳ ଛାଡିବା ପରେ ମୟୂରଭଞ୍ଜର ନେତାଙ୍କ ସହ ବୈଠକ କରିଛନ୍ତି ନବୀନ । ଲୋକଙ୍କ ସହ ସଂପର୍କ ଆହୁରି ମଜଭୂତ କରିବା ସହ ସଂଗଠନକୁ ସୁଦୃଢ କରିବାକୁ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି । ତେବେ ଜିଲ୍ଲା ସଭାପତି ତଥା ବିଜେଡି ହେଭିଓ୍ବେଟ୍ ନେତା ସୁଦାମ ମାରାଣ୍ଡି ବୈଠକରେ ସାମିଲ ନହେବା ଘଟଣା ରାଜନୀତିକୁ ସରଗରମ କରିଛି । ୪ଦିନ ତଳେ ସୁଦାମ ଡାକିଥିବା ବୈଠକକୁ ବିଜେଡିର ବହୁ ନେତା ଆସିନଥିଲେ । ତେଣୁ ମୟୂରଭଞ୍ଜ ବିଜେଡିକୁ ଯେତେ ଯୋଡିବାକୁ ନବୀନ ଚେଷ୍ଟା କଲେ ବି ସେଥିରେ ଫାଟ ରହିଥିବା କୁହାଯାଉଛି । ତେଣୁ ସମସ୍ତଙ୍କୁ ଏକଜୁଟ୍ କରିବାକୁ ନବୀନଙ୍କୁ ଆହୁରି କସରତ କରିବାକୁ ପଡିପାରେ ।

ନବୀନ ନିବାସରେ ଗଞ୍ଜାମ କସରତ

ମୟୂରଭଞ୍ଜ ସହ ଗଞ୍ଜାମ ଜିଲ୍ଲାର ନେତାଙ୍କ ସହ ବି ଆଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୂର୍ବତନ ବିଜେଡି ସରକାର ଗଞ୍ଜାମ ପାଇଁ ବହୁ ବିକାଶମୂଳକ କାମ କରିଥିଲେ । ସେସବୁକୁ ନେଇ ଲୋକଙ୍କ ପାଖକୁ ଯିବାକୁ ନବୀନ ପରାମର୍ଶ ଦେଇଥିଲେ । ଲୋକଙ୍କ ସହ ସଂପର୍କ ମଜଭୂତ କରିବା ସହ ସଂଗଠନକୁ ଆହୁରି ସୁଦୃଢ କରିବାକୁ କହିଥିଲେ । ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ, ବିକ୍ରମ ପଣ୍ଡା ପ୍ରମୁଖ ନବୀନଙ୍କ ସହ ବୈଠକରେ ଉପସ୍ଥିତ ଥିଲେ । ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମରୁ ଏଥର ପୋଛି ହୋଇଯାଇଛି ଦଳ । ପ୍ରଦୀପ ପାଣିଗ୍ରାହୀ ଫ୍ୟାକ୍ଟର ମଧ୍ୟ ବିଜେଡିର ଚିନ୍ତା ବଢାଇଛି । ମମତା ମହନ୍ତ ବିଜେପିରେ ସାମିଲ ହେବା ବେଳେ ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଉପସ୍ଥିତ ଥିଲେ । ତେଣୁ ମୟୂରଭଞ୍ଜ ପରେ ଗଞ୍ଜାମ ନେତାଙ୍କୁ ଟାର୍ଗେଟ୍ କରିପାରେ ବିଜେପି । ତେଣୁ ଆଗୁଆ ଦଳକୁ ଏକଜୁଟ୍ କରିବାକୁ ଉଦ୍ୟମ କରିଛନ୍ତି ନବୀନ ।

ଭାଙ୍ଗିବ କି ବିଜେଡି ବନ୍ଧ !

ମମତାଙ୍କ ଇସ୍ତଫା ସହ ବିଜେଡି ଭାଙ୍ଗିବାକୁ ରାଜ୍ୟରେ ଅପରେସନ୍ ଲୋଟସ ଆରମ୍ଭ ହୋଇଥିବା ବି କିଛି ରାଜନୈତିକ ବିଶେଷଜ୍ଞ ଆକଳନ କଲେଣି । ରାଜନୈତିକ ବୟାନବାଜି ବି ଚରମରେ ରହିଛି । ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅରବିନ୍ଦ ଢାଲି କହିଛନ୍ତି, ଖୁବ ଶୀଘ୍ର ବିଜେଡି ବସା ଖାଲି ହୋଇଯିବ । ଢାଲିଙ୍କ ବୟାନକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବିଜେଡି ନେତା ଅମର ଶତପଥୀ । ଦଳରେ ଆମୂଳଚୂଳ ପରିବର୍ତ୍ତନ ନହେଲେ ବଡ ଅଘଟଣ ହୋଇପାରେ ବୋଲି କହିଛନ୍ତି । ତେଣୁ ବିଜେଡି ସଂକଟ ଯେ କେବଳ ଆକଳନ ନୁହେଁ ବଡ ଆଶଙ୍କା, ସେଥିରେ ସନ୍ଦେହ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହିଥିବା ବିଜେପି ନିଜ ରାଜନୈତିକ ଭବିଷ୍ୟତର ସୁରକ୍ଷା ପାଇଁ ବିଜେଡିକୁ ଦୁର୍ବଳ କରିବାକୁ ଚାହିଁବ । କାରଣ ଏବେବି ତୃଣମୂଳସ୍ତରରେ ବିଜେଡିର ସଂଗଠନ ବେଶ୍ ସୁଦୃଢ । ତେଣୁ ମମତାଙ୍କ ପରେ ଆଗକୁ ବି ବିଜେଡିରୁ ନେତା ଆମଦାନୀ କରିପାରେ ବିଜେପି । ତେବେ ଏହାକୁ କେମିତି କାଉଣ୍ଟର କରିବେ ନବୀନ, ତାଉପରେ ନଜର ରହିବ ।

Comments are closed.