Latest Odisha News

BREAKING NEWS

ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା: ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍, ହୋଇପାରେ ବଡ଼ ଯୁଦ୍ଧ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା। ଘନଉଛି ଯୁଦ୍ଧ। ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍। ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ଓ ରକେଟ୍ ମାଡ଼ କଲା ଲେବାନନ। ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରକେଟ ମାଡ ପରେ ଇସ୍ରାଏଲ୍ ଏୟାର ଡିଫେନସ୍ ସିଷ୍ଟମ ସକ୍ରିୟ ହୋଇଛି। ତେବେ ଏହି ରକେଟ ମାଡରେ କୌଣସି କ୍ଷୟକ୍ଷତି ହେବା ନେଇ ସୂଚନା ମିଳିନାହିଁ। ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଶାସକ ହମାସ୍‌ ମୁଖ୍ୟ ଇସ୍‌ମାଇଲ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି।

ଇରାନ ଏବଂ ଏହାର ସହଯୋଗୀ ହମାସ୍‌ ଓ ହେଜବୋଲ୍ଲା ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି। ଇସ୍ରାଏଲ୍‌ ଏବଂ ଇରାନ ଯୁଦ୍ଧର ନିକଟତର ହେଉଥିବାବେଳେ ଆମେରିକା ସୈନ୍ୟବାହିନୀ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧବିମାନ ଏବଂ ନୌସେନା ଯୁଦ୍ଧଜାହାଜ ମୁତୟନ କରିବାକୁ ଯାଉଛି। ଅନ୍ୟପଟେ ଇସ୍ରାଏଲ୍ ଉପରେ ଲେବାନନ୍‌ର ରକେଟ ମାଡ ହେବା ପରେ ଲେବାନନ୍ ଛାଡିବାକୁ ନିଜ ଦେଶ ନାଗରିକଙ୍କୁ ଆମେରିକା ଆଡଭାଇଜରୀ ଦେଇଛି।

ଇରାନ ରାଜଧାନୀ ତେହରାନ୍‌ରେ ବୁଧବାର ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ତେହରାନ ସମର୍ଥତ୍ତ ହେଜବୋଲ୍ଲା ସଂଗଠନର କମାଣ୍ଡର ଫୁଆଦ ଶୁକ୍‌ରଙ୍କୁ ଇସ୍ରାଏଲ୍‌ ହତ୍ୟା କରିଥିଲା। ଏହି ଆକ୍ରମଣରେ ଅନ୍ୟ ୫ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ତେଣୁ ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ଇସ୍ରାଏଲ୍‌ରେ ପ୍ରବେଶ କରି ଆକ୍ରମଣ କରିବାକୁ ଇରାନ ଚାହୁଁଛି।

ଅନ୍ୟପଟେ ୟେମେନ୍‌ର ଇରାନ ସମର୍ଥକ ହୁଟି ବିଦ୍ରୋହୀମାନେ ମଧ୍ୟ ଇସ୍‌ମାଇଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ସେମାନେ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି। ଉତ୍ତେଜନା ବଢ଼ୁଥିବାରୁ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବା ସମ୍ଭାବନା ରହିଛି। ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତା’ର ସାମରିକ ସାମର୍ଥ୍ୟ ବଢ଼ାଉଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

Comments are closed.