Latest Odisha News

BREAKING NEWS

ଏଣିକି ଠକାମୀ ଶିକାର ହେବେନି ହିତାଧିକାରୀ, ରାଜ୍ୟରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ୱର; ପ୍ରଥମ ଥର ପାଇଁ ରାଜ୍ୟରେ ଖୋଲିଲା ଚାଉଳ ଏଟିଏମ୍ l ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ l ରାଜ୍ୟର ପ୍ରଥମ ଚାଉଳ ଏଟିଏମକୁ ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ତେବେ ଚାଉଳ ଏଟିଏମରେ ଚାଉଳ ଉଠାଇବାକୁ ହେଲେ ପ୍ରଥମେ ହିତାଧିକାରୀମାନଙ୍କୁ ଚାଉଳ ଏଟିଏମ କାର୍ଡ ଦିଆଯିବ l ମେସିନରେ କାର୍ଡ ନମ୍ବର ମାରିଲେ ଏଟିଏମରୁ ଚାଉଳ ବାହାରିବା l ଏହି ଯୋଜନା ସଫଳ ହେଲେ ଧୀରେ ଧୀରେ ସବୁ ଜିଲ୍ଲା ଓ ବ୍ଲକ୍‌ରେ ଚାଉଳ ଏଟିଏମ ଖୋଲିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l

ସମସ୍ତ ରାସନ କାର୍ଡଧାରୀମାନେ ପ୍ରଥମେ ଚାଉଳ ଏଟିଏମରେ ନିଜର ଆଧାର କାର୍ଡ ନମ୍ବର ଏବଂ ରାସନ କାର୍ଡରେ ଉଲ୍ଲେଖ କରାଯାଇଥିବା ନମ୍ବର ପ୍ରବେଶ କରିବାକୁ ପଡିବ । ଏହା ପରେ ବ୍ୟାଗକୁ ଏଟିଏମର ଯେଉଁଠି ଚାଉଳ ବାହାରିବା ସେଠାରେ ରଖିବାକୁ ପଡିବ l ଏହାପରେ ଆପଣଙ୍କୁ ଚାଉଳ ମିଳିବ l ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ମଧ୍ୟ ଏହି ଏଟିଏମ୍‌ରୁ ଚାଉଳ ନେଇପାରିବେ । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ l ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି ।

ହରିୟାଣାର ଗୁରୁଗ୍ରାମ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ ପରେ ଏବେ ଓଡିଶାରେ ଆରମ୍ଭ ହୋଇଛି ଚାଉଳ ଏଟିଏମ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହି ଚାଉଳ ଏଟିଏମ ମାଧ୍ୟମରେ ଗରିବ ଲୋକଙ୍କୁ ରାସନ ଚାଉଳ ଯୋଗାଇଦିଆଯିବ ।

Comments are closed.