Latest Odisha News

BREAKING NEWS

ମହାପ୍ରଭୁଙ୍କ ଖଣିରେ ମନଇଛା ଖନନ; ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ: ଖୋର୍ଦ୍ଧା ର ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୧୭ଟି ନିର୍ମାଣ ପଥର ଖଣି ଓ ଦୁଇଟି ମାଙ୍କଡ଼ା ପଥର ଖଣି ହୋଇ ମୋଟ ୧୯ଟି ଖଣି ଲିଜ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଆସନ୍ତା ୭ ଦିନ ଭିତରେ ରୟାଲଟି ସହ ଆନୁସାଙ୍ଗିକ ବ୍ୟୟ ଓ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୭ ଦିନ ଭିତରେ ହାଜର ହୋଇ ଜବାବ୍ ରଖିବାକୁ ମଧ୍ୟ ନୋଟିସ ରେ କୁହାଯାଇଛି ।

ମହାପ୍ରଭୁଙ୍କ ନାମରେ ଥିବା ଖଣିକୁ ମନଇଛା ଲୁଟ୍ କରିଛନ୍ତି ଖଣି ମାଫିଆ । ଯେତିକି ଲିଜ୍ ନେଇଛନ୍ତି ତା’ଠାରୁ ଯଥେଷ୍ଟ ଅଧିକ ପରିମାଣର ପଥର ତାଡ଼ି କୋଟି କୋଟି ଟଙ୍କାରେ ବିକ୍ରି ମଧ୍ୟ କରିଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଯୋଗ ଦେଇଥିବା ଅରବିନ୍ଦ ପାଢ଼ୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଓଡ଼ିଶା ଲଘୁ ଖଣିଜ ଆଇନ୍ ୨୦୧୬ ଆଧାରରେ ଏହି ନୋଟିସ ଜାରି କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା ସେନେଇ ଲିଖିତ ଜବାବ୍ ମଗା ଯାଇଛି । ନୋଟିସ ର ଜବାବ୍ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

ତେବେ ଜାରି କରାଯାଇଥିବା ନୋଟିସ ର ଖିଲାପ କଲେ ଖଣିର ଚୁକ୍ତି ପତ୍ର ରଦ୍ଧ କରାଯିବ । ସେପଟେ ମହାପ୍ରଭୁଙ୍କ ନାଁ ରେ ଥିବା ଖଣି ଗୁଡ଼ିକରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବା ବେଳେ କେବଳ ଖଣି ଲିଜ ଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କୁ ନାପସନ୍ଦ କରିଛନ୍ତି ସେବାୟତ । ଏହି ବେଆଇନ୍ ଖଣି ଲୁଟ୍ ମାମଲାରେ ଜଡ଼ିତ ଥିବା ସରକାରୀ ଅଧିକାରୀ ଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

Comments are closed.