Latest Odisha News

ପୁରା ଓ୍ବାୟନାଡ ମୁଖରେ ଗୋଟିଏ କଥା: ‘ସାବାସ୍ ସେନା’ 

ଓ୍ବାୟନାଡ: ବିନାଶକାରୀ ଭୂସ୍ଖଳନର ତାଡନା ସହିଥିବା ୱାୟାନାଡ ଜିଲ୍ଲାରେ ଥମିଆସୁଛି ରିଲିଫ ଓ ରେସକ୍ୟୁ ଅପରେସନ । ଦୀର୍ଘ ୧୦ ଦିନର ଅକ୍ଲାନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବନ୍ଦ କରିଛି ସେନା । ୱାୟାନାଡ ଛାଡିଛନ୍ତି ସେନା ଯବାନ । ଭୂସ୍ଖଳନ ପ୍ରଭାବିତ ଅଂଚଳରେ ଅତି ପ୍ରତିକୂଳ ପରିସ୍ଥିତିରେ ଧ୍ୱଂସାବଶେଷରୁ ଖୋଜିଥିଲେ ଜୀବନ । ଜୀବିତଙ୍କୁ ଦେଇଥିଲେ ଆଶ୍ୱାସନା । ବଂଚିବାର ନୂଆ ଆଶା । ସେନା ଯବାନଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲୋକେ । ରିଲିଫ ଅପରେସନ ପରେ ଯବାନମାନଙ୍କୁ ଭାବବିହ୍ୱଳ ବିଦାୟ ଦେଇଛନ୍ତି ସ୍ଥାନୀୟ ଲୋକେ । ସାହସିକତା ଓ ସେବା ମନୋଭାବକୁ ସ୍ୱୀକୃତି ଦେଇଛନ୍ତି । ସମସ୍ତଙ୍କ ମୁହଁରେ ଜୟ ଯବାନ ସ୍ଲୋଗାନ । ସମାଜର ବିଭିନ୍ନ ବର୍ଗର ଲୋକ ଓ ସଂଗଠନ ସେନାକୁ ଅଭିନନ୍ଦନ ଜଣାଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଭୂସ୍ଖଳନ ପୀଡିତଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ କୋଚି ପ୍ରତିରକ୍ଷା ଜନ ସଂପର୍କ ଅଧିକାରୀ ସେନାଙ୍କୁ ଜଣାଛନ୍ତି କୃତଜ୍ଞତା । ସେନାର ସାହସକୁ ଦେଇଛନ୍ତି ସାବାସୀ । ୱାୟାନାଡ ଜିଲ୍ଲା ପ୍ରଶାସନ ଯବାନଙ୍କ ପାଇଁ ଆୟୋଜନ କରିଥିଲା ବିଦାୟକାଳୀନ ସମ୍ବର୍ଦ୍ଧନା ।

ରିଲିଫ ଓ ଉଦ୍ଧାର ଅପରେସନରେ ଭାରତୀୟ ସେନା ଯବାନଙ୍କ କାମକୁ ପ୍ରଶଂସା କରି ଜଣେ ତୃତୀୟ ଶ୍ରେଣୀର ଛାତ୍ର ଲେଖିଥିବା ଚିିଠି ଏବେ ହୋଇଛି ଚର୍ଚ୍ଚାର ବିଷୟ । ସ୍କୁଲ ଛାତ୍ରଙ୍କ ଚିଠି ସେନା ଯବାନଙ୍କ ହୃଦୟ ଜୟ କରିଛି । ଚିଠିକୁ ଭାରତୀୟ ସେନା ସୋସିଆଲ ମିଡିଆ ହ୍ୟାଣ୍ଡଲ ଜରିଆରେ ପୋଷ୍ଟ କରିଛି ।

ଛାତ୍ର ଜଣଙ୍କ ଚିଠିରେ କ’ଣ ଲେଖିଛନ୍ତି ? ସେ ଲେଖିଛନ୍ତି ଯେ, ତାଙ୍କ ପ୍ରିୟ ୱାୟନାଡ ବିଶାଳ ଭୂସ୍ଖଳନ କବଳରେ ଆସିଗଲା । ସବୁ ବରବାଦ ହୋଇଗଲା । ଧ୍ୱଂସାବଶେଷ ମଧ୍ୟରେ ସେନାର ଉଦ୍ଧାର କାର୍ଯ୍ୟ ଦେଖି ସେ ଖୁସି ଓ ଗର୍ବିତ । ରିଲିଫ ଓ ଉଦ୍ଧାର ଅଭିଯାନ ବେଳେ ଏକ କ୍ଷତିଗ୍ରସ୍ତ ଅଂଚଳରେ ଭୋକଶୋଷ ଭୁଲି ପୋଲ ନିର୍ମାଣ ପାଇଁ ଲାଗିପଡିଥିଲେ ଯବାନ । ଏକ ଭିଡିଓରେ ଯବାନମାନେ କେବଳ ବିସ୍କୁଟ ଖାଉଥିବା ଦେଖାଯାଇଥିଲା । ଏଥିରେ ସେ ଖୁବ୍ ପ୍ରଭାବିତ ହୋଇଛନ୍ତି ବୋଲି ଲେଖିଛନ୍ତି ତୃତୀୟ ଶ୍ରେଣୀ ଛାତ୍ର । ସେ ବି ସେନାରେ ଭର୍ତ୍ତି ହୋଇ ଦେଶର ସୁରକ୍ଷା କରିବାକୁ ଚାହୁଁଛନ୍ତି ବୋଲି ଛାତ୍ର ରାୟନ ଚିଠିରେ ଲେଖିଥିଲେ ।

ରାୟନଙ୍କ ଚିଠିର ଉତ୍ତର ଦେଇଛି ସେନା । ଏଭଳି କୃତଜ୍ଞତାରେ ସେନା ଅଭିଭୂତ ବୋଲି ଉତ୍ତର ଦିଆଯାଇଛି । ଆପଣଙ୍କ ଭଳି ହୀରୋ ହିଁ ସେନାକୁ ପ୍ରେରଣା ଯୋଗାନ୍ତି । ଖୁବ୍ ଶୀଘ୍ର ବଡ ହୋଇ ସେ ସେନାରେ ଭର୍ତ୍ତି ହୁଅନ୍ତୁ । ମିଳିମିଶି ଆମେ ଆମ ଦେଶକୁ ଗୌରବାନ୍ୱିତ କରିବା ବୋଲି ସେନା ରାୟନଙ୍କୁ ଉତ୍ତର ଦେଇଛି । ଜଣେ ସ୍କୁଲ ଛାତ୍ରଙ୍କ ହୃଦୟସ୍ପର୍ଶୀ ପ୍ରଶଂସା ପତ୍ର ଓ ଭୂସ୍ଖଳନ ପୀଡିତ ଲୋକଙ୍କ ସ୍ନେହ ସଦିଚ୍ଛା ପୁଣି ଥରେ ଭାରତୀୟ ସେନା ଓ ସାଧାରଣ ଲୋକଙ୍କ ଭାବଗତ ସଂପର୍କକୁ ପ୍ରମାଣିତ କରିଛି ।

 

 

Comments are closed.