Latest Odisha News

୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ଡିଗ୍ରୀ କଲେଜ ଉଦଘାଟିତ

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରେ ୧୪ଟି ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି କଲେଜଗୁଡ଼ିକୁ ଉଦଘାଟନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗରେ ନୂଆ କଲେଜ ରହିଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର; ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ; କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା; ନବରଙ୍ଗପୁର ଜିଲ୍ଲାର ଝରିଗାଁ, କୋଷାଗୁମୁଡା, ରାଇଘର ଓ ତେନ୍ତୁଳିଖୁଣ୍ଟି; ରାୟଗଡ଼ା ଜିଲ୍ଲାର କାଶୀପୁର ଓ ରମଣାଗୁଡ଼ା; ଗଞ୍ଜାମ ଜିଲ୍ଲାର ଧରାକୋଟ; ଏବଂ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ ଯାହା ମାଧ୍ୟମରେ ଯୁବପିଢ଼ି ନିଜକୁ ସଶକ୍ତ କରିପାରିବେ ଏବଂ ସମାଜରେ ପରିବର୍ତ୍ତନ ଆଣିପାରିବେ । ଦୁର୍ଗମ ଅଂଚଳରେ ଥିବା ଏହି ନୂଆ ୧୪ଟି ସରକାରୀ ଡିଗ୍ରୀ କଲେଜ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ଡ୍ରପ୍ ଆଉଟ୍ ପ୍ରତିଶତ ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀ ନୂଆ ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ ୮ଟି ଜିଲ୍ଲାର ୧୪ଟି ବ୍ଲକରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ଦୁର୍ଗମ ଅଂଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ଶିକ୍ଷା ପହଞ୍ଚିଛି । ଏହା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସୌନ୍ତ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପଦକ୍ଷେପ ବୋଲି କହିଥିଲେ।

Comments are closed.