Latest Odisha News

BREAKING NEWS

କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?

ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା । ସେମିଫାଇନାଲରେ ହାରିବା ପରେ ଅମନଙ୍କ ଓଜନ ଅଚାନକ ବଢି ୬୧.୫ କେଜି ହୋଇଯାଇଥିଲା । ବ୍ରୋଞ୍ଚ ପଦକ ପାଇଁ ମାତ୍ର ୧୦ଘଣ୍ଟା ମଧ୍ୟରେ ବଢିଥିବା ଓଜନ କମ୍ କରିଥିଲେ ଅମନ ।

୧୦ଘଣ୍ଟାରେ କମାଇଲେ ଓଜନ

ପ୍ରଥମେ ଅମନଙ୍କୁ ଦେଢ ଘଣ୍ଟାର ମ୍ୟାଟ୍ ସେସନ୍ କରାଇଥିଲେ ଦୁଇ ବରିଷ୍ଠ କୋଚ୍ । ଏହାପରେ ଘଣ୍ଟାଏ ଧରି ହଟ୍ ବାଥ୍ ନେଇଥିଲେ । ରାତି ସାଢେ ୧୨ଟାରେ ଜିମରେ ନନଷ୍ଟପ ଘଣ୍ଟାଏ ଧରି ଟ୍ରେଡମିଲରେ ଦୌଡିଥିଲେ ଅମନ । ଅଧିକ ଝାଳ ବହିବା ଓଜନ କମାଇବାରେ ସହାୟକ ହୋଇଥିଲା । ଏହାପରେ ୩୦ମିନିଟ୍ ବ୍ରେକ୍ ପରେ ୫ମିନିଟ ସଉନା ବାଥର ୫ଟି ସେସନ କରାଯାଇଥିଲା । ତେବେ ଏସବୁ ପରେ ବି ଅମନଙ୍କ ଓଜନ ୯ଶହ ଗ୍ରାମ ଅଧିକ ଥିଲା । ମସାଜ୍ ପରେ ତାଙ୍କୁ ଜଗିଂ କରିବାକୁ କହିଥିଲେ କୋଚ୍ । ୫ଟି ୧୫ମିନିଟ ବିଶିଷ୍ଟ ଦୌଡ ସେସନ ବି କରାଯାଇଛି । ଭୋର ସାଢେ ୪ଟା ବେଳକୁ ଅମନଙ୍କ ଓଜନ ୫୬.୯କେଜିରେ ପହଞ୍ଚିଯାଇଥିଲା । ଆଶ୍ବସ୍ତିର ନିଶ୍ବାସ ନେଇଥିଲେ କୋଚ୍ ଓ ନିଜେ ଅମନ ।

ସାରା ରାତି ଅନିଦ୍ରା ଥିଲେ ଅମନ

ଓଜନ କମ୍ କରିବାକୁ ସାରା ରାଜି ଅନିଦ୍ରା ରହିଥିଲେ ଅମନ । ତାଙ୍କୁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ଦିଆଯାଉଥିଲା । ଅଳ୍ପ କଫି ମଧ୍ୟ ପିଇଥିଲେ। ରେସଲିଂର ଭିଡିଓ ଦେଖିଥିଲେ ଅମନ । ପ୍ରତିଘଣ୍ଟାରେ ଓଜନ ମାପି ଚାଲିଥିଲେ । ଭିନେଶ ଫୋଗଟଙ୍କ ଘଟଣା ପରେ ଓଜନ କମାଇବାକୁ ନେଇ ଅଧିକ ସଚେତନ ରହିଥିଲେ ଅମନଙ୍କ କୋଚ୍ । ଦେଶ ପାଇଁ ଆଉ ଏକ ମେଡାଲ୍ ହାତଛଡା କରିବାକୁ କୌଣସି ମତେ ଚାହିଁନଥିଲେ । ଆଉ ଅମନଙ୍କ କଠିନ ପରିଶ୍ରମ ତାଙ୍କୁ ମିଳିଥିଲା । ଦେଶର ସର୍ବକନିଷ୍ଠ ଅଲିମ୍ପିକ୍ସ ମେଡାଲ୍ ବିଜେତା ହୋଇଥିଲେ ଅମନ ସେହରାଓ୍ବତ ।

Comments are closed.